ହାଇଦ୍ରାବାଦ:ଘରଟିଏ କିଣିବା ଅନେକ ଲୋକଙ୍କ ପାଇଁ ସ୍ବପ୍ନଟିଏ ସତ ହେବା ସଦୃଶ । ଏଥିପାଇଁ ଲୋକେ ବିଶେଷଭାବେ ହୋମ ଲୋନକୁ ଗୁରୁତ୍ବ ଦେଇଥାନ୍ତି । ଏହି ଲୋନ ମଧ୍ୟ ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ ସୁଲଭ ଲୋନ ମଧ୍ୟରୁ ଅନ୍ୟତମ । ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ବିତ୍ତୀୟ ଅନୁଷ୍ଠାନରୁ ହୋମ ଲୋନ୍ ଖୁବ୍ ସହଜରେ ମିଳିଯାଉଛି । ହେଲେ ଲୋନ୍ ନେବା ପୂର୍ବରୁ ଧ୍ୟାନ ଦେବା ଜରୁରୀ ଯେ, ଯଦି ଆପଣ ଠିକ୍ ସମୟରେ ଲୋନ କିସ୍ତି ନ ଭରୁଛନ୍ତି ତେବେ ନାନା ଜଟିଳ ସମସ୍ୟାର ସାମ୍ନା କରିପାରନ୍ତି ।
ଲଗାତାର ତିନି ମାସ ଧରି ଯଦି ଆପଣ ହୋମ୍ ଲୋନ ଇଏମଆଇ(EMI) ଭରଣା କରନ୍ତି ନାହିଁ, ତେବେ ସମ୍ପୃକ୍ତ ଆର୍ଥିକ ଅନୁଷ୍ଠାନ ପକ୍ଷରୁ ଋଣକର୍ତ୍ତାଙ୍କୁ ନୋଟିସ୍ ଆସିଥାଏ । ଯଦି ଋଣକର୍ତ୍ତା ତଥାପି ଏହାର ଜବାବ ନ ଦିଅନ୍ତି ତେବେ ଋଣ ବସୁଲ କରିବାକୁ ବ୍ୟାଙ୍କ ଆବଶ୍ୟକୀୟ କାର୍ଯ୍ଯାନୁଷ୍ଠାନ ନେଇଥାଏ । ଏଥିସହ କିସ୍ତି ପଇଠ କରିବାରେ ବିଳମ୍ବ ହେଲେ ବ୍ୟାଙ୍କ ଇନଷ୍ଟଲମେଣ୍ଟ ରାଶିରୁ ଦୁଇ ପ୍ରତିଶତ ଜରିମାନା ଆଦାୟ କରିଥାଏ ମଧ୍ୟ ।
ଯେତେବେଳେ କୌଣସି ଲୋନ ଡିଫଲ୍ଟ ବନିଯାଏ, ତେବେ ଏହାକୁ ଏନପିଏ(NPA) ଭାବେ ଗ୍ରହଣ କରାଯାଏ । ବ୍ୟାଙ୍କ ଋଣକର୍ତ୍ତାକୁ କୌଣସି ନୋଟିସ୍ ପଠାଇବା ପୂର୍ବରୁ କିଛି କମ୍ପାନୀ ଲୋନ ଆଦାୟ ପାଇଁ ଥାର୍ଡ ପାର୍ଟିର ସାହାଯ୍ୟ ନେଇଥାନ୍ତି । ଯଦି ଲୋନ୍ ଏନପିଏ ବର୍ଗକୁ ଆସେ, ତେବେ ଋଣକର୍ତ୍ତା ଏବଂ ଋଣଦାତା ଅନୁଷ୍ଠାନ ମଧ୍ୟରେ ବିବାଦ ଦେଖାଯାଇଥାଏ । ଯାହାପରେ ଆପଣ ଅନ୍ୟ କୌଣସି ଲୋନ୍ ସେହି ବ୍ୟାଙ୍କରୁ ନେଉଛନ୍ତି ତାହା ମଧ୍ୟ ଏନପିଏ ଭାବେ ଗ୍ରହଣ କରାଯାଇଥାଏ । ଯେଉଁ କାରଣରୁ ସ୍ଥିତି ଅଧିକ ଜଟିଳ ହୋଇପଡେ ।
ଯଦି ଠିକ୍ ସମୟରେ କିସ୍ତି ପଇଠ ନ କରାଯାଏ, ଏହା କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଆପଣ ବାରମ୍ବାର ଇଏମଆଇ ଜମା ନ କରନ୍ତି, ଆପଣଙ୍କ କ୍ରେଡିଟ୍ ସ୍କୋର ହ୍ରାସ ପାଇପାରେ । ବର୍ତ୍ତମାନ ବ୍ୟାଙ୍କଗୁଡିକ ନିଜର ସୁଧହାରକୁ ରେପୋ ରେଟ୍ ସହ ଯୋଡି ଦେଇଛନ୍ତି । ଯଦ୍ବାରା ଲୋନ ନେଉଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ଆଧାରରେ ସୁଧହାର ନିର୍ଦ୍ଧାରଣ କରାଯାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର କମ୍ ତେବେ ସୁଧହାର ବଢିବାର ସମ୍ଭାବନା ଅଧିକ । ଯଦି ବ୍ୟାଙ୍କ୍ ସାବ୍ୟସ୍ତ କରିଦିଏ ଯେ, ଆପଣ ଜାଣିଶୁଣି କିସ୍ତି ଜମା କରୁନାହାନ୍ତି ତେବେ ଆପଣଙ୍କ ଲୋନ୍ କ୍ରେଡିବିଲିଟି ଉପରେ ଖରାପ ପ୍ରଭାବ ପଡିଥାଏ ।