ହାଇଦ୍ରବାଦ : ‘‘ ଝିଅମାନଙ୍କୁ ମଧ୍ୟ ପୁଅଙ୍କ ଭଳି ସମ୍ପତ୍ତିରେ ସମାନ ଅଧିକାର ମିଳିବ । ସାରା ଜୀବନ ଝିଅଟି ମଧ୍ୟ ବାପା ମା’ଙ୍କ ହୃଦୟରେ ରହିଥାଏ । ଏଣୁ ଝିଅର ମଧ୍ୟ ପୁଅ ଭଳି ପୈତୃକ ସମ୍ପତ୍ତିରେ ଅଧିକାର ରହିଛି । 2005 ରେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ଲାଗୁ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଝିଅଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ । ’’ ମଙ୍ଗଳବାର ସୁପ୍ରିମକୋର୍ଟ ମହିଳାଙ୍କ ଅଧିକାର ନେଇ ଏହି ଗୁରୁତ୍ବପୂର୍ଣ୍ଣ ରାୟର ଶୁଣାଇଛନ୍ତି ।
121 ଫର୍ଦ୍ଦର ଏହି ରାୟକୁ ଜଷ୍ଟିସ ଅରୁଣ ମିଶ୍ରଣଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି । ଏଥିରେ କୁହାଯାଇଛି ପୁଅ ଭଳି ଝିଅକୁ ମଧ୍ୟ ଆଜୀବନ ସମ୍ପତ୍ତିରେ ସମାନ ଅଧିକାର ମିଳିବ । ଯଦିଓ ତାଙ୍କ ପିତା ଜୀବନ୍ତ ରହିଥାନ୍ତୁ ଅବା ନାହିଁ । 2005 ପୂର୍ବରୁ ଝିଅର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ପିଲାମାନଙ୍କ ଅଜାଙ୍କ ସମ୍ପତ୍ତିରେ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କହିଛନ୍ତି ।
ପୂର୍ବରୁ ଝିଅଙ୍କ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ମିଳୁନଥିଲା । ତେବେ 2005 ମସିହା ସେପ୍ଟମ୍ବର 9 ରେ ହିନ୍ଦୁ ଉତ୍ତରାଧିକାରୀ ଆଇନ 1956କୁ ସଂଶୋଧନ କରାଯାଇଥିଲା । ଏହା ଅନୁଯାୟୀ ଝିଅ ମଧ୍ୟ ପୁଅ ଭଳି ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇପାରିବ । କିନ୍ତୁ 2005 ପୂର୍ବରୁ ପିତା କିମ୍ବା ଝିଅର ମୃତ୍ୟୁ ହୋଇଥିଲେ ଏହି ଆଇନ ଲାଗୁ ହୋଇପାରନଥିଲା । ଏ ନେଇ ଅଭିଯୋଗ ପରେ କୋର୍ଟ ଏଥିରେ ପରିବର୍ତ୍ତନ ଆଣିଛନ୍ତି । ଏବେ ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାଗ ହୋଇପାରିବ ।
ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ବୁଝିବା ପାଇଁ ବର୍ତ୍ତମାନର ଆଇନ କଣ ରହିଛି, ତାହା ଜାଣିବା ଜରୁରୀ । ତେବେ ନଜର ପକାନ୍ତୁ ବର୍ତ୍ତମାନର ଆଇନ ଓ ନିୟମ ଉପରେ...
HUF କଣ ?
ହିନ୍ଦୁ ଆଇନ ଅଧିନରେ ଏକ ହିନ୍ଦୁ ଅବିଭାଜିତ ପରିଚାର (ଏସୟୁଏଫ) ଏକ ଗ୍ରୁପ । ଯେଉଁଥିରେ 1 ରୁ ଅଧିକ ବ୍ୟକ୍ତି ରହିଥାନ୍ତି । ସମସ୍ତ ପିତୃପୁରୁଷଙ୍କର ଏକ ସାଧାରଣ ବଂଶ ରହିଥାଏ ଏବଂ ଏଥିରେ ପତ୍ନୀ ଏବଂ ଅବିବାହିତ ଝିଅ ଅନ୍ତର୍ଭୁକ୍ତ । ଏକ ଏଚୟୁଏଫର ଗଠନ ହିନ୍ଦୁ, ଜୈନ, ଶିଖ, ବୈଦ୍ଧ ଧର୍ମର ଲୋକଙ୍କ ଦ୍ବାରା କରାଯାଇପାରିବ ।
ସମାନ ଉତ୍ତରାଧିକାରୀ କିଏ ?
ଏଚୟୁଏଫ ମଧ୍ୟରେ କିଛି ସମାନ ଉତ୍ତରାଧିକାରୀ ଅଛନ୍ତି । ଏମାନେ ସେହି ବ୍ୟକ୍ତି , ଯେଉଁମାନେ ଜନ୍ମରୁ ପୈତୃକ ସମ୍ପତ୍ତିରେ ଆଇନଗତ ଅଧିକାର ଗ୍ରହଣ ରଖିବା କ୍ଷମତା ରଖିଥାନ୍ତି । ବିଶେଷ ଭାବରେ, ଉତ୍ତରାଧିକାରୀ କେବଳ ଜନ୍ମ ସମୟରେ ହିଁ ସମାନ ଉତ୍ତରାଧିକାରୀ ହୋଇଯାଇଥାନ୍ତି । ସମାନ ଉତ୍ତରାଧିକାରୀରରେ ପରିବାରର 3 ପୀଢି ସାମିଲ ରହିଥାନ୍ତି । 2005 ପୂର୍ବରୁ ଏଥିରେ କେବଳ ପୁଅ, ନାତି, ଅଣନାତିକୁ ସାମିଲ କରାଯାଉଥିଲା । ଅବିବାହିତ ଝିଅଙ୍କୁ କେବଳ ହିନ୍ଦୁ ଅବିଭାଜିତ ପରିବାରର ସଦସ୍ୟ ଭାବେ ଗ୍ରହଣ କରାଯାଉଥିଲା । ଏପରିକି ବିବାହିତ ଝିଅଙ୍କୁ ନିଜ ବାପଘରେ ସଦସ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଉନଥିଲା । ସେମାନେ ଏଚୟୁଏଫ ସଦସ୍ୟ ହୋଇଥିଲେ ବି ତାଙ୍କୁ ସମାନ ଉତ୍ତରାଧିକାରୀ ଲିଷ୍ଟରେ ଅନ୍ତର୍ଭୁକ୍ତ କରାଯାଉନଥିଲା । ଏଥିଯୋଗୁଁ ବିବାହ ପରେ ଝିଅର ଛାଡପତ୍ର ହୋଇଗଲେ ମଧ୍ୟ ତାଙ୍କୁ ବାପଘରେ ରହିବାକୁ ଅନୁମତି ମିଳୁନଥିଲା । ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ପରେ 2005 ରେ ସୁପ୍ରିମକୋର୍ଟ ଆଇନରେ ସଂଶୋଧନ କରି ଉଭୟ ବିବାହିତ ଏବଂ ଅବିବାହିତ ଝିଅଙ୍କୁ ପରିବାର ସଦସ୍ୟ ସହ ଉତ୍ତରାଧିକାରୀ ଭାବେ ଗ୍ରହଣ ପାଇଁ ରାୟ ଶୁଣାଯାଇଥିଲା । ଏହା ଅନୁସାରେ ଝିଅ ଜନ୍ମ ହେବା ପରଠୁ ତାକୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣୀ କରିଥିଲେ ।
ଜଣେ ସମାନ ଉତ୍ତରାଧିକାର (coparcener)ର ଅଧିକାର କଣ ରହିଛି ?
ପୈତୃକ ସମ୍ପତ୍ତିରେ ଆଇନଗତ ଅଧିକାର ବ୍ୟତିତ ସମାନ ଉତ୍ତରାଧିକାରୀ ମଧ୍ୟ ପୈତୃକ ସମ୍ପତ୍ତି ବଣ୍ଟନ ଦାବିରେ ମକଦ୍ଦମା ଦାୟର କରିପାରିବ । ଝିଅ ମଧ୍ୟ ଜଣେ ସମାନ ଉତ୍ତରାଧିକାରୀ ଭାବରେ, ବର୍ତ୍ତମାନ ତାଙ୍କ ପିତାଙ୍କ ସମ୍ପତ୍ତି ବିଭାଜନ ଦାବି କରିପାରିବ, ଯାହା 2005 ପୂର୍ବରୁ ଅନୁମତି ଦିଆଯାଇ ନଥିଲା ।