ନୂଆଦିଲ୍ଲୀ: ଆଜିକୁ ଲଗାତର 10 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଚିଠିରେ ସୋନିଆ ଦାବି କରିଛନ୍ତି କି ସରକାର ତୁରନ୍ତ ଏହି ଦର ବୃଦ୍ଧି ନିଷ୍ପତ୍ତିକୁ ଫେରେଇ ନିଅନ୍ତୁ ।
ସୋନିଆ ଗାନ୍ଧୀ ନିଜ ଚିଠିରେ କହିଛନ୍ତି କି, କୋରେନା ଭାଇରସ ସଙ୍କଟରେ ଜୁଝୁଥିବା ଦେଶ ପାଇଁ ଏହି ନିଷ୍ପତ୍ତି (ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି) ଅସମ୍ବେଦନଶୀଳ । ଏପରି ସମୟରେ ସରକାର ଲୋକଙ୍କୁଲାଭ ଦେବା ପାଇଁ କୌଣସି କାମ କରୁନାହାନ୍ତି ।
ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ନିଷ୍ପତ୍ତି ଅସମ୍ବେଦନଶୀଳ । ସେ ବି 10 ଥର । ସୋନିଆ କହିଛନ୍ତି କି ସରକାରଙ୍କୁ 2.6 ଲକ୍ଷ କୋଟି ଟଙ୍କା କମାଇବା ପାଇଁ ପେଟ୍ରୋଲ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି ନେଇ କେହି ଭୁଲ ପରାମର୍ଶ ଦେଇଛି ।
ସୋନିଆ କହିଛନ୍ତି କି, ‘ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ଆତ୍ମନିର୍ଭର ହେବା ପାଇଁ ଆଶା ଦେଖାଉଥିଲା ବେଳେ ଏଭଳି ସଙ୍କୟ ସମୟରେ ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇବା ଠିକ ନୁହେଁ । ବର୍ତ୍ତମାନ କୋଭିଡ-19 ମହାମାରୀ ଲଢେଇ ମଧ୍ୟରେ ଭାରତକୁ ସ୍ବାସ୍ଥ୍ୟ, ଆର୍ଥିକ ଓ ସାମାଜିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ଆଉ ଏଭଳି କଷ୍ଟକର ସମୟରେ ତେଲ ଦାମ ବୃଦ୍ଧି ନିଷ୍ପତ୍ତି ଠିକ ନୁହେଁ ।’
ପ୍ରକାଶ ଯେ, ତେଲ କମ୍ପାନୀଗୁଡିକ ଦ୍ବାରା ମଙ୍ଗଳବାର ପେଟ୍ରୋଲ ଦାମ ଲିଟର ପିଛା 47 ପଇସା ଓ ଡିଜେଲ ଦାମ 93 ପଇସା ବୃଦ୍ଧି କରାଯାଇଛି । ଏହା ବ୍ୟତିତ ଏଟିଏଫ ଦାମ ମଧ୍ୟ 16.3 ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ 76 ଟଙ୍କା 73 ପଇସା ରହିଥିଲା ବେଳେ ଡିଜେଲ ଦାମ 75 ଟଙ୍କା 19 ପଇସାରେ ପହଞ୍ଚିଛି ।