ମୁମ୍ବାଇ: ସେୟାର ବଜାରରେ ଭାରୀ ପଡିଛି କୋରୋନା ଭାଇରସ । କାରବାର ଶେଷ ଦିନର ଆରମ୍ଭରୁ ଚିତପଟ୍ଟାଙ୍ଗ ବଜାର । 1450 ପଏଣ୍ଟ ଖସିଲା ସେନସେକ୍ସ । ସେପଟେ ଆରବିଆଇର ପ୍ରତିବନ୍ଧକ ପରେ ୟେସ ବ୍ୟାଙ୍କ ସେୟାର ତୀବ୍ର ଗତିରେ ହ୍ରାସ ପାଉଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 1459.52 ପଏଣ୍ଟ ହ୍ରାସ ପାଇଥିଲା । ପରେ ପୁଣି ସାମାନ୍ୟ ସୁଧୁରି କିଛି କ୍ଷଣ ପରେ 1,131.54 ପଏଣ୍ଟ କମ ସହ 37,339.07 ରେ କାରବାର କରୁଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 300 ପଏଣ୍ଟ ହ୍ରାସ ସହ କାରବାର ଆରମ୍ଭ କରିଛି । ଏବେ ଏହା 10,926.55 ପଏଣ୍ଟରେ କାରବାର କରୁଛି ।