ନୂଆଦିଲ୍ଲୀ: ‘ଯଦି ଆପଣ ନିବେଶ କରିବାକୁ ଚାହାନ୍ତି, ତେବେ ଭାରତ ଆସନ୍ତୁ । କାରଣ ଦ୍ରୁତ ଗତିରେ ବିକାଶ କରୁଥିବା ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥିତି ଅଦ୍ବିତୀୟ । ଭାରତ ଏକ ବୃହତ୍ତ ପରିସର , ଯାହା ବିଶ୍ବ ଦୃଷ୍ଟିକୋଣରୁ ଆକାଂକ୍ଷା ରଖିଥାଏ ।’ ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମବର୍ଗ ଅନ୍ତର୍ଜାତୀୟ ବାଣିଜ୍ୟ ଫୋରମ 2019ରେ ଉଦବୋଧନ ଦେଇ ମୋଦି ଏ ନେଇ କହିଛନ୍ତି ।
ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର । ଆଉ ଏଥିପାଇଁ ଅଧିକ ମାତ୍ରାରେ ସହାୟକ ହୋଇଛି ଫୋର-ଡି ଫର୍ମୁଲା । ଏଥିମଧ୍ୟରେ ସର୍ବବୃହତ୍ତ ଗଣତନ୍ତ୍ର(ଡେମୋକ୍ରେସି), ଆକାଂକ୍ଷୀ ମଧ୍ୟମ ବର୍ଗ(ଡେମୋଗ୍ରାଫି), ବର୍ଦ୍ଧିତ ଚାହିଦା(ଡିମାଣ୍ଡ) ଏବଂ ନିଷ୍ପତ୍ତି ନେବା କ୍ଷମତା(ଡିସିସିଭନେସ) ରହିଛି । ଏହାକୁ ନଜରରେ ରଖି ନିବେଶକମାନେ ନିର୍ଦ୍ବନ୍ଦରେ ଭାରତରେ ନିବେଶ କରିପାରିବେ ବୋଲି ମୋଦି ଆହ୍ବାନ ଦେଇଛନ୍ତି ।
ନିଜ ଫର୍ମୁଲା ବିଷୟରେ କହି ମୋଦି ଆହୁରି ମଧ୍ୟ କହିଥିଲେ ଯେ, ଯେବେ ଲୋକତନ୍ତ୍ର, ରାଜନୈତିକ ସ୍ଥିରତା, ଉତ୍ପାଦକ ନୀତି, ସ୍ବତନ୍ତ୍ର ନ୍ୟାୟପାଳିକା ରହିଥାଏ , ସେପରି ପରିସ୍ଥିତିରେ ସୁରକ୍ଷା ଓ ନିବେଶର ସିକ୍ୟୁରିଟି ରହିବା ସୁନିଶ୍ଚିତ ।
ଏବେ ଭାରତରେ ନିବେଶ ପାଇଁ କୌଣସି ସମସ୍ୟ ନାହିଁ । ଆଉ ଯଦି କିଛି ବାଧା ଆସେ ତେବେ ମୁଁ ସେତୁ ହୋଇ ଅଡି ରହିବି । ଭାରତରେ କୁଶଳୀ ଓ ଦକ୍ଷ ମେଧାବୀ ଯୁବପୀଢିଙ୍କ ଅଭାବ ନାହିଁ । ଯଦି ଏହି ନୂଆ ଦକ୍ଷ( ଯୁବପୀଢି) ସହ ଆନ୍ତର୍ଜାତୀୟ ପ୍ରଯୁକ୍ତି ମିଶିଥାଏ , ତେବେ ବିଶ୍ବରେ ଏକ ବଡ ଯୁଗାନ୍ତକାରୀ ସଂସ୍କାର ଆସିବ । ଯାହା ଫଳରେ ବିଶ୍ବ ଅର୍ଥନୀତି ବୃଦ୍ଧିରେ ବ୍ରେକ ଲାଗିପାରିବ ନାହିଁ ବୋଲି ମୋଦି ଜଣାଇଛନ୍ତି ।
ଦେଶରେ ନିବେଶ ପାଇଁ ଟିକସ ହାର(କର୍ପୋରେଟ ଟ୍ୟାକ୍ସ ) ହ୍ରାସ ପାଇଛି । ଦ୍ରବ୍ୟ ଓ ସେବା କର ଲାଗୁ ହୋଇଛି । ବ୍ୟବସାୟ ଲାଗି ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି । ଦେଶ ଭିତ୍ତିଭୂମିକୁ ଅତ୍ୟାଧୁନିକ କରିବା ପାଇଁ 100 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ନେଇ ରୋଡମ୍ୟାପ ପ୍ରସ୍ତୁତ ହେଉଛି । ଏଣୁ ଭାରତର ପ୍ରତିଟି କ୍ଷେତ୍ରରେ ଟଙ୍କା ଲଗାଇଲେ ନିବେଶକମାନେ ବହୁ ଲାଭବାନ ହେବେ । ଏଣୁ ଆଗେଇ ଆସନ୍ତୁ । ଭାରତରେ ନିବେଶର ରହିଛି ସୁବର୍ଣ୍ଣ ସୁଯୋଗ ।