ନୂଆଦିଲ୍ଲୀ: କୁହାଯାଏ ଅଳ୍ପବିଦ୍ୟା ଭୟଙ୍କରୀ । ହେଲେ ଆଜିକା ଯୁଗରେ ଅଧିକ ଶିକ୍ଷା , ଅର୍ଥ ଚାକିରି ଶୂନ୍ୟ। ଉଚ୍ଚଶିକ୍ଷିତ ହୋଇ ମଧ୍ୟ ମିଳୁନି ଚାକିରି । ଚକଚକ ଡ୍ରେସ ପିନ୍ଧି , ହାତରେ ସାର୍ଟିଫିକେଟ ଧରି ବୁଲିବାକୁ ପଡୁଛି ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ। ହେଲେ ଫଳାଫଳ ଶୂନ୍ୟ। ଏପରିକି ନିଯୁକ୍ତି ଆଶାରେ ଝାଡୁଦାର ପୋଷ୍ଟ ପାଇଁ ଇଞ୍ଜିନିୟର ଓ ଏମବିଏ ପିଲା ଆବେଦନ କରିବାକୁ ମଧ୍ୟ ପଛାଉନାହାଁନ୍ତି । ଆଉ କିଛି ନହେଲେ କିଏ ଅପରାଧର ବାଟ ଆପଣାଉଛି ତ ପୁଣି କିଏ ସନ୍ୟାସ ନେବାକୁ ସ୍ଥିର କରୁଛି।
ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନିକ(CMIE) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, 2016ରୁ 2018 ମଧ୍ୟରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ମଧ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ରହିଛନ୍ତି । ଏହି 3 ବର୍ଷରେ 38 ମିଲିୟନ ଚାକିରି ବାହାରିଛି , ଯେଉଁମାନେ ପ୍ରାଥମିକ ଶିକ୍ଷା (5ମ) ଶେଷ କରିଛନ୍ତି । ସେହିପରି 6-ରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତାଙ୍କ ପାଇଁ 18 ମିଲିୟନ , ଦଶମ ଓ ଦ୍ବାଦଶ ପାଇଁ 13 ମିଲିୟନ ଓ ଗ୍ରାଜୁଏନ ଓ ପୋଷ୍ଟ ଗ୍ରାଜୁଏସନଙ୍କ ପାଇଁ ମାତ୍ର 2.9 ମିଲିୟନ ରହିଛି ।
ଶିକ୍ଷାର ସିଡିକୁ ଦେଖିବାକୁ ଗଲେ ଶିକ୍ଷା ଓ ଚାକିରୀ ମଧ୍ୟରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, 10ମ ଏକାଦଶ ଓ ଦ୍ବାଦଶ ପଢିଥିବା ପିଲାଙ୍କୁ ଏହି 3 ବର୍ଷର 12 ପ୍ରତିଶତ ଅଧିକା ଚାକିରି ମିଳିଛି । ହେଲେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଯୋଗ୍ୟ ପିଲାଙ୍କୁ ମାତ୍ର 2.9 ମିଲିୟନ ଚାକିରି ମିଳିଥିବା ବେଳେ 3 ବର୍ଷରେ 6 ପ୍ରତିଶତ ହ୍ରାସ ପାଇଛି । ଅର୍ଥାତ ଏହି ରିପୋର୍ଟରୁ ସ୍ପଷ୍ଟ ବାରି ହେଉଛି ଯେ, କମ ଶିକ୍ଷିତ ପିଲାଙ୍କ ପାଇଁ ଚାକିରି ପରିସର ବଢୁଥିବା ବେଳେ ଉଚ୍ଚ ଶିକ୍ଷିତଙ୍କ ପାଇଁ ଚାକିରି ନାହିଁ କହିଲେ ଚଳେ।