ଓଡିଶା

odisha

ETV Bharat / business

5 ବର୍ଷରେ 5 ଟ୍ରିଲିୟନ ଡଲାର: ଜାଣନ୍ତୁ କିପରି ହାସଲ କରିବ ମୋଦି 2.0 - india

ଆଗାମୀ 5 ବର୍ଷରେ ମୋଦି 2.0ର ଲକ୍ଷ୍ୟ 5 ଟ୍ରିଲିୟନ ଡଲାର । ଦେଶ ଅର୍ଥନୀତିର ଆକାର ବୃଦ୍ଧି କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଏହାର ସୁନେଲି ସ୍ବପ୍ନ ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କ ପ୍ରଥମ ବଜେଟରେ ଦେଖାଇସାରିଛନ୍ତି । ତେବେ କିପରି ଏହାକୁ ହାସଲ କରିବେ ସରକାର? କେତେ ସମୟ ଦରକାର ଏଥିପାଇଁ ? କିପରି ଅଭିବୃଦ୍ଧିର ହେବ ହିସାବ, ଜାଣନ୍ତୁ...

ପ୍ରତିକାତ୍ମକ ଫଟୋ

By

Published : Jul 6, 2019, 9:14 PM IST


ନୂଆଦିଲ୍ଲୀ: ଆସନ୍ତା 5 ବର୍ଷରେ ଭାରତ ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାର ରହିବ । ଏହି ଲକ୍ଷ୍ୟ ନେଇ ବଜେଟ ମାଧ୍ୟମରେ ନ୍ୟୁ-ଇଣ୍ଡିଆର ମୂଳଦୁଆ ପକାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ଏହାକୁ ସାକାର କରିବାକୁ ଆଜି ବାରଣାସୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି ।

ମୋଦି କହିଛନ୍ତି ଯେ, ଦେଶ ଅର୍ଥନୀତିକୁ 1 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ 55 ବର୍ଷ ଲାଗିଯାଇଥିଲା । ହେଲେ ଗତ 5 ବର୍ଷର ଶାସନରେ ଏହା 2 ଟ୍ରିଲିୟନ ଡଲାର ପାର କରିବାକୁ ସକ୍ଷମ ହୋଇପାରିଛି । ଆମେରିକା, ଚୀନ ସମେତ ଏପରି ବହୁ ଦେଶ ବହୁତ କମ ସମୟ ମଧ୍ୟରେ ଏହି ଲକ୍ଷ୍ୟକୁ ହାସଲ କରିପାରିଛନ୍ତି । ତେବେ ଭାରତ ମଧ୍ୟ ଏହାକୁ ସ୍ବପ୍ନ ଶୀଘ୍ର ପୂରଣ କରିବ ବୋଲି ନରେନ୍ଦ୍ର ମୋଦି ଆଶାବାଦୀ ରହିଛନ୍ତି ।

କିପରି ମପାଯାଏ ଅର୍ଥବ୍ୟବସ୍ଥାର ଆକାର

କୌଣସି ଦେଶର ଅର୍ଥନୀତି ତାର ମୋଟ ଘରୋଇ ଉତ୍ପାଦ(ଜିଡିପି)ରୁ ଜଣାଯାଇଥାଏ । ଯେତେ ଜିଡିପି ସେହି ପରିମାଣର ଅଭିବୃଦ୍ଧି । ଗୋଟିଏ ଆର୍ଥିକ ବର୍ଷରେ ଦେଶ ଭିତରେ ଉତ୍ପାଦିତ ମୋଟ ବସ୍ତୁ ଓ ସେବାର ବଜାର ଦରକୁ ସେହି ଦେଶର ଜିଡିପି କୁହାଯାଏ । ଏହା ମୁଖ୍ୟତଃ କୃଷି, ଶିଳ୍ପ ଓ ସେବା ଉପରେ ନିର୍ଭର କରିଥାଏ । ଏହାକୁ ଅର୍ଥବ୍ୟବସ୍ଥାକୁ ସୂଚକ କୁହାଯାଏ । କୌଣସି ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି କିପରି ରହିଛି । ତାହା ଜିଡିପିରୁ ଜଣାପଡିଥାଏ ।

ଜିଡିପିକୁ କିପରି ହିସାବ କରାଯାଏ

ଉପଭୋକ୍ତା ଖର୍ଚ୍ଚ+ ଘରୋଇ ନିବେଶ+ ସରକାରୀ ଖର୍ଚ୍ଚ+(ରପ୍ତାନୀ-ଆମଦାନୀ)

ଦେଶର ଉପଯୋଗୀତା, ଘରୋଇ ନିବେଶ, ସରକାରୀ ଖର୍ଚ୍ଚ ଓ ରପ୍ତାନୀକୁ ଯୋଡିବା ପରେ ସେଥିରୁ ଆମଦାନୀକୁ ବିୟୋଗ କଲେ ଜିଡିପି ଜଣାପଡିଥାଏ ।

8 ପ୍ରତିଶତ ଦରକାର ଅଭିବୃଦ୍ଧି

ବଜେଟ ପୂ୍ର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନରେ ପହଞ୍ଚାଇବା ପାଇଁ ଜିଡିପି 8 ପ୍ରତିଶତ ଦରକାର ରହିଛି । ଯେତେବେଳେ କି 2018-19ରେ ଜିଡିପି 6.8 ପ୍ରତିଶତ ମଧ୍ୟରେ ରହିଥିଲା । ଏହି ହାରକୁ ବଢାଇବା ପାଇଁ ନିବେଶ ବୃଦ୍ଧି କରିବାକୁ ହେବ । ଏଥିଯୋଗୁଁ ଏଫଡିଆଇ( ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ) ନୀତିକୁ କୋହଳ କରାଯିବ । ଏପଟେ ସରକାରଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ମଧ୍ୟ ଆବଶ୍ୟକ ଟଙ୍କା ପାଣ୍ଠିରେ ନାହିଁ । ଯଦି ଏହାକୁ ସରକାର ଯୋଗାଡ କରନ୍ତି, ତେବେ ତାର ସଫଳତା ନିଶ୍ଚିତ ଦେଶ ଅର୍ଥନୀତିରେ ସକରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଇଛି ।

ଘରୋଇ ନିବେଶ

ବର୍ତ୍ତମାନ ସମୟରେ ଘରୋଇ ନିବେଶ ହ୍ରାସ ପାଇଛି । ଏନପିଏ ବଢୁଥିବାରୁ ବ୍ୟାଙ୍କର ଋଣ ଦେବା କ୍ଷମତା ମଧ୍ୟ କମିଛି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି)ରେ ନଗଦ ସଙ୍କଟ ଲାଗିରହିଛି । ଏଥିପାଇଁ ଏବେ ବଜେଟରେ ଘୋଷଣା କରାଯାଇଛି ଯେ, ଏନବିଏଫସି ଅନୁଷ୍ଠାନ ଗୁଡିକ ଉପରେ ଆରବିଆଇ ନିୟାମକ କ୍ଷମତା ସୁଦୃଢ ହେବ ।

ABOUT THE AUTHOR

...view details