ଓଡିଶା

odisha

By

Published : Mar 10, 2020, 12:43 PM IST

ETV Bharat / business

ଶସ୍ତା ଅଶୋଧିତ ତୈଳ, କିପରି ପ୍ରଫିଟ ପାଇବ ଭାରତ ?

ଅନେକ ଅର୍ଥନୀତିଜ୍ଞ ଅନୁମାନ କରନ୍ତି ଯେ, ଚୀନ୍‌ ଓ ବିଶ୍ବର ଅନ୍ୟାନ୍ୟ ଦେଶରେ ଚାହିଦା ସ୍ତରରେ ଉନ୍ନତି ନ ହେବା ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ସୂଚକ ଖୁବ୍‌ ନିମ୍ନରେ ରହିବ । ଏଥିରେ ଉନ୍ନତି ପାଇଁ ହୁଏତ ଆଉ 6ରୁ 12 ମାସ ଲାଗିପାରେ ।

How India will gain from falling crude oil prices ?
ଶସ୍ତା ଅଶୋଧିତ ତୈଳ , କିପରି ପ୍ରଫିଟ ପାଇବ ଭାରତ ?

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଏକ ମାପଦଣ୍ଡ ନିର୍ଣ୍ଣାୟକ ରୂପେ ବିବେଚିତ ବେଞ୍ଚମାର୍କ ବ୍ରେଣ୍ଟ୍‌ କ୍ରୁଡ୍‌ ଫ୍ୟୁଚର୍‌ସ 30% ତଳକୁ ଖସିଛି । ଫଳରେ ବ୍ୟାରେଲ୍‌ ପିଛା ଅଶୋଧିତ ତୈଳ ଦାମ 31.02 ଡଲାରରେ ପହଞ୍ଚିଛି । ଯାହାକି 2016 ଫେବୃଆରୀ ପରଠୁ ସର୍ବନିମ୍ନ ସ୍ତର ।

ଅନ୍ୟ ଏକ ପ୍ରମୁଖ ପ୍ରକାରର ଅଶୋଧିତ ତୈଳ, ୟୁ.ଏସ୍‌.ୱେଷ୍ଟ ଟେକ୍‌ସାସ ଇଣ୍ଟରମିଡିଏଟ୍‌ (WTI) 27% ତଳକୁ ଖସି ବ୍ୟାରେଲ୍‌ ପିଛା 30 ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ ଏହା ମଧ୍ୟ 2016 ଫେବୃଆରୀରୁ ଏହାର ସର୍ବନିମ୍ନ ସ୍ତର । ବାସ୍ତବରେ, ଜାନୁଆରୀ 1991ର ଉପସାଗରୀୟ ଯୁଦ୍ଧ ସମୟ ପରେ WTI ଏହାର ସବୁଠାରୁ ଖରାପ ସମୟ ଆଡ଼କୁ ଆଗେଇ ଚାଲିଛି ।

କେଉଁ କାରଣରୁ ଦାମ ହଠାତ୍‌ ତଳକୁ ଖସିଲା ?

ଅଚାନକ ଏହି ଦର କମିବାର ମୁଖ୍ୟ କାରଣ ହେଲା ଉତ୍ପାଦନ କାଟ୍‌ କରିବା ଲାଗି ଏକ ବୁଝାମଣା କରିବାରେ ସାଉଦି ଆରବ ଏବଂ ରୁଷ୍‌ର ବିଫଳତା । କରୋନା ଭାଇରସ୍‌ ପ୍ରାଦୁର୍ଭାବ ଯୋଗୁଁ ପ୍ରଭାବିତ ତୈଳ ଦର ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ, ଗୁରୁବାର ତୈଳ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ ସମୂହ ବା OPEC ଦୈନିକ 1.5 ମିଲିଅନ୍‌ ବ୍ୟାରେଲ୍‌ ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ ରୁଷ ଓ ଏଥିରେ ଯୋଗ ଦେଉଥିବା ଅନ୍ୟ ଦେଶ ପାଇଁ ଏହି କାର୍ଯ୍ୟାନୁଷ୍ଠାନରେ କେତେକ ସର୍ତ୍ତ ରହିଥିଲା ।

ତେବେ ରୁଷ୍‌ର ଏଥିରେ ଅନିଚ୍ଛୁକତା ଯୋଗୁଁ ସାଉଦି ଆରବ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ଏହା ଫଳରେ ଅନ୍ୟୂନ 20 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତୈଳ ଦର ତୀବ୍ର ଗତିରେ ହ୍ରାସ ପାଇଥିଲା । ଉତ୍ପାଦନ ବଢ଼ାଇବାକୁ ସାଉଦି ଆରବର ଯୋଜନା ବ୍ୟତୀତ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, କାନାଡା ଏବଂ ନରୱେରୁ ତୈଳ ଯୋଗାଣ ବୃଦ୍ଧି ଏବଂ ଚୀନରେ ଚାହିଦା ହ୍ରାସ ଯୋଗୁଁ ଏହା ତୈଳ ଯୋଗାଣରେ ଅତ୍ୟଧିକ ପରିମାଣରେ ବଢ଼ିବାରେ ଲାଗିଲା । ଅନେକ ଅର୍ଥନୀତିଜ୍ଞ ଅନୁମାନ କରନ୍ତି ଯେ, ଚୀନ୍‌ ଓ ବିଶ୍ବର ଅନ୍ୟାନ୍ୟ ଦେଶରେ ଚାହିଦା ସ୍ତରରେ ଉନ୍ନତି ନ ହେବା ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ସୂଚକ ଖୁବ୍‌ନିମ୍ନରେ ରହିପାରେ ଏବଂ ଏଥିରେ ଉନ୍ନତି ପାଇଁ ହୁଏତ ଆଉ 6ରୁ 12 ମାସ ଲାଗିପାରେ ।

କିପରି ଭାରତ ଏଥିରୁ ଫାଇଦା ପାଇବ ?

ଜାନୁଆରୀ ମଧ୍ୟ ଭାଗ ପରଠାରୁ ଭାରତର ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ପ୍ରାୟ 4 ଟଙ୍କା କମିଛି ଏବଂ ଆଗକୁ ଏହା ଆହୁରି କମିବାକୁ ଯାଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ତୀବ୍ର ଗତିରେ ହ୍ରାସ ପାଉଛି । ଫଳରେ ଇଣ୍ଡିଆନ୍‌ ଅଏଲ୍‌, ବିପିସିଏଲ୍‌ଏବଂ ଏଚ୍‌ପିସିଏଲ୍‌ ଭଳି ତୈଳ ବିକ୍ରୟକାରୀ କମ୍ପାନୀଗୁଡ଼ିକ ଲାଭବାନ ହେବେ ବୋଲି ଆଶା କରାଯାଉଛି । କାରଣ, ତୈଳ ପରିଶୋଧନ ଅନୁପାତ ବା ରିଫାଇନିଂ ମାର୍ଜିନ୍‌ ଏବଂ ଉପାର୍ଜନ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ।

ଏଠାରେ ମନେ ରଖିବା ଉଚିତ ଯେ ଦେଶରେ ଥିବା ଖୁଚୁରା ଇନ୍ଧନ ବିକ୍ରେତାମାନେ ଅନ୍ତର୍ଜାତୀୟ ତୈଳ ଦର ଉପରେ 15 ଦିନର ପରିବହନ ସମୟ ବିଚାରକୁ ନେଇ ହାରାହାରି ଦର ନିର୍ଣ୍ଣୟ କରନ୍ତି ଏବଂ ଏହି ଦର ଅନୁପାତରେ ଘରୋଇ ବଜାରରେ ଦୈନିକ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ମୂଲ୍ୟ ନିର୍ଦ୍ଧାରିତ ହୁଏ ।

ତେଣୁ, ଘରୋଇ ଇନ୍ଧନ ବଜାର ଉପରେ ଏହାର ବାସ୍ତବ ପ୍ରଭାବର ଯଥାର୍ଥ ଆକଳନ ନିମନ୍ତେ ଆଉ ଗୋଟିଏ ସପ୍ତାହ ଲାଗିଯିବ । ଭାରତରେ ମୋଟ ଅଶୋଧିତ ତୈଳ ଚାହିଦାର 85 ପ୍ରତିଶତ ଆମଦାନୀରୁ ପୂରଣ କରାଯାଉଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଦର କମିବାର ଅର୍ଥ ଆମଦାନୀ ବାବଦ ଖର୍ଚ୍ଚରୁ ଅପ୍ରତ୍ୟାଶିତ ଫାଇଦା ହେବ ।

ଏକ ଆକଳନ ଅନୁସାରେ, ଅଶୋଧିତ ତୈଳ ଦରରେ ୟୁନିଟ୍‌ ପିଛା ଗୋଟିଏ ଡଲାର କମ୍‌ ହେଲେ ଭାରତର ଆମଦାନୀ ବିଲ୍‌ ପ୍ରାୟ 3,000 କୋଟି ଟଙ୍କା ହ୍ରାସ ପାଇବ । ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ଠିକ୍‌ 45 ଡଲାର ହେଲେ ଆମ ଦେଶ ପାଇଁ ଏହା 2 ବିଲିଅନ୍‌ ଡଲାର ଅର୍ଥାତ୍‌14,000 କୋଟି ଟଙ୍କା ବଞ୍ଚାଇବାରେ ସହାୟକ ହେବ । ତୈଳ ଦର କମ୍‌ ହେଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ଦିଗରେ ଏହା ସହାୟକ ହେବ । ଇନ୍ଧନ ଉପରେ ସବ୍‌ସିଡି ପ୍ରଦାନ କମ୍‌ହେବ, କରେଣ୍ଟ (ଚଳିତ) ଆକାଉଣ୍ଟରେ ନିଅଣ୍ଟିଆ ସ୍ଥିତି ହ୍ରାସ ପାଇବ ଏବଂ ସର୍ବସାଧାରଣ ଯୋଜନାରେ ଖର୍ଚ୍ଚ କରିବା ଲାଗି ସରକାରଙ୍କ ହାତରେ ଅଧିକ ସମ୍ବଳ ରହିବ ।

ଏକ ଆକଳନ ଅନୁସାରେ, ଅଶୋଧିତ ତୈଳ ଦର 10 ପ୍ରତିଶତ ହ୍ରାସ ପାଇଲେ ଉପଭୋକ୍ତା ଦର ସୂଚକାଙ୍କ ବା କନ୍‌ଜ୍ୟୁମର ପ୍ରାଇସ୍‌ଇ ଇଣ୍ଡେକ୍‌ସ ଭିତ୍ତିକ ମୁଦ୍ରାସ୍ଫୀତିକୁ ଏହା ପ୍ରାୟ 20 ବେସିସ୍‌ପଏଣ୍ଟ (bps) ହ୍ରାସ କରିବ ଏବଂ ମୋଟ ଘରୋଇ ଉତ୍ପାଦ (GDP)ରେ ପ୍ରାୟ 30 ବେସିସ୍‌ ପଏଣ୍ଟ ଅଭିବୃଦ୍ଧି ଘଟିବ ।

(ଲେଖକ: ଡକ୍ଟର ହିରଣ୍ମୟ ରୟ । ସେ ୟୁନିଭର୍ସିଟି ଅଫ୍‌ପେଟ୍ରୋଲିୟମ୍‌ଆଣ୍ଡ ଏନର୍ଜି ଷ୍ଟଡିଜ୍‌ର ସ୍କୁଲ୍‌ଅଫ୍‌ବିଜିନେସ୍‌ରେ ଏନର୍ଜି ଇକୋନୋମିକ୍‌ସରେ ଶିକ୍ଷାଦାନ କରନ୍ତି । ସଂପ୍ରତି ସେ ସହାୟକ ପ୍ରାଧ୍ୟାପକ ଏବଂ ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗର ମୁଖ୍ୟ ପଦବୀରେ କାର୍ଯ୍ୟରତ)

(ନାଦାବିପତ୍ର: ଏଥିରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ବ ଏବଂ ଈଟିଭି ଭାରତ କିମ୍ବା ଏହାର ପରିଚାଳକମାନଙ୍କର ନୁହେଁ । ପୁଞ୍ଜିନିବେଶ ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ବୀକୃତ ବିଶେଷଜ୍ଞମାନଙ୍କ ଦ୍ବାରା ଯାଞ୍ଚ କରାଇ ନେବାକୁ ଈଟିଭି ଭାରତ, ପାଠକମାନଙ୍କୁ ପରାମର୍ଶ ଦିଏ ।)

ABOUT THE AUTHOR

...view details