ନୂଆଦିଲ୍ଲୀ: ପୁଣି ଖସିଲା ଦେଶର ଅଭିବୃଦ୍ଧି ହାର । ଲଗାତାର ତୃତୀୟ ଥର ପାଇଁ ତଳମୁହାଁ ରହିଛି ବିକାଶ ଦର । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ(ଅକ୍ଟୋବର-ଡିସେମ୍ବର)ରେ ଜିଡିପି(ମୋଟ ଘରୋଇ ଉତ୍ପାଦ) ହାର 6.6 ପ୍ରତିଶତ ରହିଛି । ଯାହାକି ଗତ 15 ମାସର ରେକର୍ଡ ଭାଙ୍ଗି ସର୍ବନିମ୍ନରେ ପହଞ୍ଚିଛି । ଗୁରୁବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସି) ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।
ପ୍ରଥମ ତ୍ରୟମାସରେ (ଏପ୍ରିଲ-ଜୁନ)ରେ ଜିଡିପି ହାର 8.2 ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୟମାସ(ଜୁଲାଇ-ସେପ୍ଟେମ୍ବର)ରେ ଏହା ହ୍ରାସ ପାଇ 7.1 ପ୍ରତିଶତ ରହିଥିଲା । ହେଲେ ଅକ୍ଟୋବରରୁ ଡିସେମ୍ବରର ମଧ୍ଯରେ ଦେଶର ଆୟ ତୁଳନାରେ ବ୍ୟୟ ଅଧିକ ରହିଥିବାରୁ ନିୟଣ୍ଟ ବୃଦ୍ଧି ପାଇଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଜିଡିପି ଉପରେ ପଡିଛି । ତେବେ ନିର୍ବାଚନ ପୂର୍ବରୁ ଅଭିବୃଦ୍ଧି ହାରରେ ଏତେ ବଡ ପରିମାଣର ବ୍ୟତିକ୍ରମ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।