ନୂଆଦିଲ୍ଲୀ: ମୋଦି ସରକାରଙ୍କ ଶପଥ ନେବା ପରଠୁ ଅର୍ଥନୀତିକୁ ମାଡି ବସିଛି ଶନି ଦଶା । ପ୍ରଥମେ ଜିଡିପି ଓ ବେକାରୀ ରିପୋର୍ଟ ତା’ପରେ ଜିଏସପି(ଜେନେରାଲାଇଜଡ ସିଷ୍ଟମ ଅଫ ପ୍ରିଫେରନ୍ସ) ବ୍ୟାନ । ଯାହା ଫଳରେ ଭାରତର 2,000 ଟ୍ୟାକ୍ସ ଫ୍ରି ସାମଗ୍ରୀ ରପ୍ତାନୀ ଉପରେ ବ୍ରେକ ଲାଗିଛି । କ୍ଷମତାକୁ ଆସୁ ଆସୁ ଏଭଳି ଆର୍ଥିକ ଝଟକା ସରକାରଙ୍କୁ ଦୋହଲାଇ ଦେଇଛି ।
ଭାରତର ଅର୍ଥନୀତି କ୍ରମାଗତ ମାନ୍ଦାବସ୍ଥାକୁ ଗତି କରୁଛି । ଆଉ ଏପରି ସମୟରେ ଜିଏସପି ପ୍ରତ୍ୟାହୃତ । ଯାହାକି ଦେଶ ରାଜକୋଷକୁ ରୋଗାଗ୍ରସ୍ତ କରିବା ନେଇ ଅନୁମାନ କରାଯାଉଛି । କାରଣ ଜିଏସପି (କର ମୁକ୍ତ ତାଲିକା) ଯୋଗୁଁ ରପ୍ତାନୀକୁ ବ୍ୟାପକ ପରିମାଣରେ ପ୍ରୋତ୍ସାହନ ମିଳିଥାଏ ।
ଜିଏସପି ସୀକୃତି ପାଇଥିବା ଦେଶ ବିନା କରରେ ଆମେରିକାକୁ 2 ହଜାର ସାମଗ୍ରୀ ବିକ୍ରି କରିବାକୁ ଗ୍ରୀନ ସିଗନାଲ ପାଇଥାଏ । କିନ୍ତୁ ଏବେ ଭାରତ ଯେଉଁ ସବୁ ସାମଗ୍ରୀ ଆମେରିକାକୁ ବିକ୍ରି କରିବ ସେସବୁ ଉପରେ ଏବେ ତାକୁ ମୋଟା ଅଙ୍କର ଟ୍ୟାକ୍ସ ଗଣିବାକୁ ପଡିବ । ଆଉ ଟ୍ୟାକ୍ସ ଲଗାଇଲେ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ଚଢା ଦରରେ ବିକ୍ରି ହେବ । ଏପରି ସ୍ଥିତିରେ ଆମେରିକା ମଧ୍ୟ ତାର ମୁଦ୍ରାସ୍ପୀତିକୁ ନଜରରେ ରଖି ଭାରତ ଠାରୁ ଆମଦାନୀ କମାଇବ । ଏହା ପରେ ଭାରତରେ ଆରମ୍ଭ ହେବ ମାନ୍ଦାବସ୍ଥା । ଯଦି ଏପରି ସମସ୍ୟା ଉପୁଜେ ତେବେ ଭାରତରେ ବୃଦ୍ଧି ପାଇବ ବାଣିଜ୍ୟିକ ସଙ୍କଟ ( ଆମଦାନୀ ତୁଳନାରେ ରପ୍ତାନୀ କମ ) ।
ରିପୋର୍ଟ ମୁତାବକ, ଜିଏସପି ଯୋଗୁଁ 2017ରେ ଭାରତ ଅଧିକ ମାତ୍ରାରେ ଲାଭବାନ ହୋଇଥିଲା । ଏହି ବର୍ଷ (2017) ଭାରତ ଆମେରିକାକୁ 39,645 କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରିଥିଲା । ଏଥିରୁ ଭାରତକୁ ପାଖାପାଖି 1,345 କୋଟି ଟଙ୍କାର ଟ୍ୟାକ୍ସ ଫାଇଦା ପାଇଥିଲା । ତେବେ ଜିଏସପି ଅଧିନରେ ଭାରତ ଆମେରିକାକୁ ଯେତେ ରପ୍ତାନୀ କରୁଛି ସେଥିରେ ଇଞ୍ଜିନିୟରିଂ ଉତ୍ପାଦ 44 ପ୍ରତିଶତ ରହିଛି । ଶୁକ୍ଲ ରିହାତି ଉପରେ ଭାରତକୁ ବାର୍ଷିକ 560 କୋଟି ଡଲାର ମିଳୁଥିବା ବେଳେ ଇଞ୍ଜିନିୟରିଂ କ୍ଷେତ୍ରକୁ ଏହାର 44 ପ୍ରତିଶତ ପ୍ରଫିଟ ମିଳିଥାଏ । ଏପରି କ୍ଷେତ୍ରରେ ହଠାତ ଆମେରିକାର ଏପରି କଠୋର ନିଷ୍ପତ୍ତି ଇଞ୍ଜିନିୟରିଂ ସେକ୍ଟରକୁ ହୁଲସ୍ତୁଲ କରିଦେଇଛି । ତେବେ ଏହାର ଏକ ବିକଳ୍ପ ବ୍ୟବସ୍ଥା ଚୀନ ରହିଛି । ଯଦି ଭାରତ ସରକାର ଆମେରିକା ଓ ଚୀନ ଟ୍ରେଡୱାର ଫାଇଦା ଉଠାଇ ଚୀନକୁ ଅଧିକରୁ ଅଧିକ ସାମଗ୍ରୀ ରପ୍ତାନୀ କରନ୍ତି ତେବେ ସମସ୍ୟାର ବହୁ ସମାଧାନ ହୋଇପାରିବ ।
ଏପଟେ ଜିଏସପି ଦର୍ଜା ହାତରୁ ଚାଲିଯିବା ପରେ ପରେ ବିରୋଧୀ ମଧ୍ୟ ମୋଦି ସରକାରଙ୍କୁ ଘେରିଛନ୍ତି ।