ନୂଆଦିଲ୍ଲୀ: ମହାମାରୀ କୋରୋନା ମାଡରେ ମୂର୍ଚ୍ଛା ହୋଇପଡିଥିବା ଅର୍ଥବ୍ୟବସ୍ଥାକୁ ପୂନର୍ଜୀବିତ କରିବା ପାଇଁ ସୋମବାର ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋରୋନା କାଳରେ ଭାରତର ପ୍ରଥମ ବଜେଟ ଉପରେ ରହିଛି ସାରା ଦେଶର ନଜର । ଏଭଳି ସ୍ଥିତିରେ ରେଳ ବଜେଟକୁ ମଧ୍ୟ ଟ୍ରାକକୁ ଆଣିବାକୁ ବିଶେଷ ଧ୍ୟାନ ଦେଇପାରନ୍ତି ସରକାର ।
ଗତ କିଛି ବର୍ଷରୁ ସାଧାରଣ ବଜେଟ ସହିତ ରେଳ ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଆସୁଛି । ଚଳିତ ବର୍ଷ ଭାରତୀୟ ରେଳବାଇର ମେଗା ପରିଯୋଜନା ଓ ସୁରକ୍ଷା କାର୍ଯ୍ୟକୁ ଦୃଷ୍ଟିରେ ରଖି ବଜେଟରେ ଆବଣ୍ଟନ ବୃଦ୍ଧିର ସମ୍ଭାବନା ରହିଛି ।
ଏଥର ବଜେଟରେ ରେଳ ବିଭାଗକୁ 3ରୁ 5 ପ୍ରତିଶତ ବୃଦ୍ଧି ମିଳିବ ବୋଲି ଆଶା କରାଯାଉଛି । ସଫଳ ବଜେଟ ସହାୟତା ପାଖିପାଖି 80 ହଜାର କୋଟି ଟଙ୍କା ହେବାର ଅନୁମାନ ରହିଛି । ଜାତୀୟ ରେଳ ଯୋଜନା 2024ରୁ ଦୃଷ୍ଟିରେ ରଖି ବଜେଟର ଆବଣ୍ଟନ କରାଯିବ ।
ବଜେଟରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ରହିବ ବୁଲେଟ ଟ୍ରେନ ଯୋଜନା, ଯାହାକି ରେଳବାଇ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କାରିପାରେ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଜାତୀୟ ରେଳ ଯୋଜନା 2024 ଅନ୍ତର୍ଗତ 2051 ସୁଦ୍ଧା 8 ହଜାର କିଲୋମିଟର ଲମ୍ବା ହାଇସ୍ପିଡ୍ ରେଳ ନେଟୱାର୍କର ପ୍ରସ୍ତାବ ରଖାଯାଇଛି । ଏହି ଯୋଜନାରେ ପାଟନା-ଗୌହାଟୀ, ଅମୃତସର-ଜମ୍ମୁ, ବାରାଣାସୀ-ପାଟନା, ଓ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇସ୍ପଡ୍ କରିଡରର ପ୍ରସ୍ତାବ ମଧ୍ୟ ରହିଛି ।
ପର୍ଯ୍ୟଟନ ଏବଂ ତୀର୍ଥସ୍ଥଳୀଗୁଡିକରେ ରେଳ ଭିତ୍ତିଭୂମି ବିସ୍ତାର ପାଇଁ ଅର୍ଥମନ୍ତ୍ରୀ ଅଧିକ ଘରୋଇ ଟ୍ରେନ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ରେଳବାଇ ପ୍ରଥମରୁ ହିଁ 12ଟି 15 ଟି ଘରୋଇ ଟ୍ରେନ୍ ଘୋଷଣା କରିସାରିଛି ଯେଉଁଥିରେ ଘରୋଇ ଅନୁଷ୍ଠାନରୁ ପ୍ରାୟ 13,000 କୋଟି ଟଙ୍କା ବିନିଯୋଗ କରାଯାଇଛି।