ଭୁବନେଶ୍ବର: ସରିଛି ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବ ନିର୍ବାଚନ । ଆସନ୍ତା 30 ସୁଦ୍ଧା ବିଶ୍ବ ଦେଖିବ ଭାରତର ନୂଆ ସରକାର । ସାଧାରଣ ନିର୍ବାଚନ ସହ ଦେଶର 4ଟି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହି 4ରାଜ୍ୟ ମଧ୍ୟରୁ ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହୋଇଛି । ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ମୁକାବିଲା ହୋଇଥିଲା । କାରଣ ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ବିଜେପି ଚାଣକ୍ୟ ବୋଲାଉଥିବା ଅମିତ ଶାହା ମିଶନ 120 ପ୍ଲସର ଆହ୍ବାନ ଦେଇଥିବା ବେଳେ କଂଗ୍ରେସ ମୁଖିଆ ମଧ୍ୟ କ୍ଷମତାକୁ ଫେରିବା ପାଇଁ ଦମ୍ଭ ଦେଖାଇଥିଲେ । ଆଉ ଉଭୟଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଥିଲା ବିଜେଡି ।
ଏହାରି ଭିତରେ ଆସି ସାରିଛି ନିର୍ବାଚନ ଫଳ । ପୁଣିଥରେ ଶାସନ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି ବିଜେଡି ଆଉ ବିଜେପିର ମିଶନ 120 ପ୍ଲସ ଫ୍ଲପ ହୋଇଥିଲେ ମଧ୍ୟ ଷୋଡଶ ବିଧାନସଭାରେ ଦଳ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବ । ତେବେ ଗେରୁଆ ଦଳର ବିଧାୟକ ସଂଖ୍ୟା ବଢିଥିଲେ ମଧ୍ୟ ଦଳର ଅନେକ ଅଭିଜ୍ଞ ବରିଷ୍ଠ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ପ୍ରଦୀପ ପୁରୋହିତ, ରବି ନାୟକ ଓ ରାଧାରାଣୀ ପଣ୍ଡାଙ୍କ ଭଳି ଅଭିଜ୍ଞ ନେତା ନିର୍ବାଚନରେ ବିଫଳତାର ମୁହଁ ଦେଖିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟରେ ବିରୋଧୀ ଦଳ ନେତା କିଏ ହେବ ଚାଲିଛି ହିସାବ ନିକାସ ।
କାରଣ ଦଳର ବିଧାୟକ ସଂଖ୍ୟା 23 ହୋଇଥିଲେ ବି ଏମାନଙ୍କ ଭିତରୁ 15ଜଣ ନୂଆଁ ମୁହଁ ଥିବାବେଳେ ଅବଶିଷ୍ଟ ପୂର୍ବରୁ ବିଧାନସଭାର ସଦସ୍ୟ ଥିଲେ । ଯଦିଓ ଦଳର ପୁରୁଖା ନେତା ଜୟ ନାରାୟଣ ମିଶ୍ର ଚଳିତ ନିର୍ବାଚନରେ ବିଧାନସଭାକୁ କମବ୍ୟାକ କରିଛନ୍ତି ଏବଂ ତାଙ୍କସହ ମେଣ୍ଟ ସରକାରରେ ମନ୍ତ୍ରୀଥିବା ଅନୁଭବୀ ପ୍ରଦୀପ୍ତ ନାୟକ ମଧ୍ୟ ବିଜୟୀ ହୋଇଛନ୍ତି । ଏହି ଦୁହିଙ୍କ ମଧ୍ୟରୁ ଦଳ କାହାକୁ ଏହି ଦାୟିତ୍ବ ଦେବ ତାହା ସମୟ କହିବ । କିଏ ହେବ ବିରୋଧୀ ଦଳ ନେତା ତାହା ଚୂଡାନ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ରାଜ୍ୟର ଶୀର୍ଷସ୍ତରୀୟ ନେତା ଓ ଦଳର ସମସ୍ତ ବିଜୟୀ ବିଧାୟକଙ୍କ ମିଳିତ ବୈଠକ ବସି ନେତା ବଛାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।