ସମ୍ବଲପୁର: ଭିକ୍ଷା ବୃତ୍ତି ସେମାନେ କରନ୍ତି ଯାହା ପାଖରେ କିଛି ନଥାଏ । ଆଉ କିଛି ଲୋକ ନିଜ ଭିନ୍ନକ୍ଷମତା ପାଇଁ କିମ୍ବା ଦାରିଦ୍ରତ୍ୟ ପାଇଁ ଭିକ୍ଷା ବୃତ୍ତି ଆପଣାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟବାନ ଥାଇ ମଧ୍ୟ ଭିକ୍ଷା ବୃତ୍ତି କରନ୍ତି । ଏହି ପରିଶ୍ରମ କାତର ମଣିଷ ଖଟି ଖାଇବା ପାଇଁ କୁଣ୍ଠାବୋଧ କରିଥାନ୍ତି ।
ତେବେ ଏହି ଅଳସୁଆ ମଣିଷଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଶିଖ ସର୍ଦ୍ଦାର । ତାଙ୍କୁ ଦେଖିଲେ ସ୍ବାସ୍ଥ୍ୟବାନ ଲୋକ ମଧ୍ୟ ଲଜ୍ଜା ଅନୁଭବ କରିବ । କାରଣ ସେ ଜଣେ ଦିବ୍ୟାଙ୍ଗ । ଜନ୍ମରୁ ଦୁଇ ଗୋଡ ନାହିଁ କିନ୍ତୁ ଭିକ୍ଷା ବୃତ୍ତି ପରି କଳଙ୍କିତ କାମ କରିବାକୁ ସେ ଘୃଣା କରନ୍ତି । ଦେହରେ ଅଛି ପଞ୍ଜାବୀ ରକ୍ତ, ମନରେ ଅଛି ଅଦମ୍ୟ ସାହାସ । ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା । ସେ କହନ୍ତି କାମ କରିବାକୁ ଦୁଇ ହାତ କାଢ, କାହା ଆଗରେ ହାତ ପତାଅ ନାହିଁ ।
ଏହି ସ୍ବାବଲମ୍ବୀ ଦିବ୍ୟାଙ୍ଗ ହେଉଛନ୍ତି ସମ୍ଵଲପୁରର ଶିଖ ସର୍ଦ୍ଦାର ଯଶପାଲ ସିଂ ଖାଲସା । ସମ୍ଵଲପୁର ଚର୍ଚ୍ଚ ଛକରୁ ମୁଦିପଡା ଛକ ଆଡକୁ ଗଲେ ସରକାରୀ ଚିକିତ୍ସାଳୟ ପରେ ଅଳ୍ପ ବାଟ ଆଗକୁ ଡାହାଣ ପଟେ ପଡେ ଛୋଟ ଇଲେକ୍ଟ୍ରିକାଲ ମେକାନିକ ଦୋକାନ । ଏହି ଦୋକାନର ମେକାନିକ ହେଉଛନ୍ତି ଯଶପାଲ । ଜନ୍ମରୁ ଦୁଇଟି ଯାକ ଗୋଡ ଛୋଟ ହୋଇ ଅକାମୀ ହୋଇଛି । ଯାହା ଗୋଡ ନଥିବା ସଙ୍ଗେ ସମାନ ।
ଗୋଡ ସିନା ଛୋଟ ହୋଇଛି ହେଲେ ଛୋଟ ହୋଇନାହିଁ ଇଚ୍ଛା ଶକ୍ତି । ଅକାମୀ ହୋଇଯାଇଛି ଗୋଡ ମାତ୍ର ଭାଙ୍ଗିନାହିଁ ମନୋବଳ । ନିଜ ଅକ୍ଷମତା ପାଇଁ ସେ କାହା ଆଗରେ ହାତ ପତାଇ ନାହାଁନ୍ତି । ସକାଳ ୮ଟା ହେଲେ ନିଜ ସ୍କୁଟିରେ ଦୋକାନକୁ ବାହାରି ଯାଆନ୍ତି । ଦୋକାନରେ ପଙ୍ଖା, କୁଲର, ଗ୍ରାଇଣ୍ଡର ପରି ସମସ୍ତ ପ୍ରକାର ଇଲେକ୍ଟ୍ରିକାଲ ସାମଗ୍ରୀ ସଜାଡନ୍ତି । ଯଶପାଲଙ୍କ ବିଶେଷତ୍ବ ହେଲା ସେ ବହୁତ କମ ସମୟରେ ସଜାଡି ଦିଅନ୍ତି । କମ ସମୟ ନେଉଥିବାରୁ ତାଙ୍କ ଦୋକାନରେ ସବୁବେଳେ ଗ୍ରାହକଙ୍କ ଭିଡ ଲାଗିଥାଏ ।