ଭୁବନେଶ୍ବର: ବାତ୍ୟା ‘ୟଶ’ ଦ୍ଵାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କୌଣସି ଅଧିକାରୀ ତାଙ୍କ କାର୍ଯ୍ୟାଳୟ ନ ଛାଡିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଭିସି ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ବାବଦରେ ସମୀକ୍ଷା କରିଛନ୍ତି ।
ଏହା ସହ ଏହି ସବୁ ଜିଲ୍ଲାର ରବିଧାନ ସଂଗ୍ରହ ବିଷୟରେ ମଧ୍ୟ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ବିଭାଗୀୟ ଅଧିକାରୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ବାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଖାଉଟିମାନଙ୍କ ନିକଟରେ ରାସନ ସାମଗ୍ରୀ ଯେପରି ଠିକଣା ଭାବରେ ପହଞ୍ଚିପାରିବ ସେଥିପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ମଇ ଓ ଜୁନ ମାସର ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ କାଲି ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ଗଚ୍ଛିତ ରଖିବା ସହିତ ଯେପରି ଆବଶ୍ୟକ ପରିମାଣର ଡିଜେଲ, ପେଟ୍ରୋଲ, କିରୋସିନ ଏବଂ ଏଲପିଜି ଗ୍ୟାସ ଉପଲବ୍ଧ ହୋଇପାରିବ ସେଥିଲାଗି ପେଟ୍ରୋଲ ପମ୍ପ ଏବଂ ଡିଲରମାନଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଇତ୍ୟାଦି କିଣି ମହଜୁଦ ରଖିବା ସମ୍ଭାବନା ଥିବାରୁ ଖାଉଟିମାନଙ୍କୁ ଅଧିକ ସାମଗ୍ରୀ ନକିଣିବା ପାଇଁ ସଚେତନ କରିବା ପାଇଁ କହିଛନ୍ତି । କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ସମୟରେ କୌଣସି ଅଧିକାରୀ ଏବଂ କର୍ମଚାରୀ ସଦର ମହକୁମା ଛାଡ଼ି ନଯିବା ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ରତି ବିଭିନ୍ନ ଜିଲ୍ଲାରେ ରବି ଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ବାତ୍ୟାର ସ୍ଥିତିକୁ ବିଚାରକୁ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିହାତି ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସ୍ଥଗିତ ରଖିବା ଦିଗରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂଗୃହୀତ ହୋଇଥିବା ଧାନକୁ ତୁରନ୍ତ ମିଲରମାନେ ଉଠାଇ ନେବା ସହିତ ମଣ୍ଡିରେ ତାରପୋଲିନ୍ ଦ୍ଵାରା ଧାନକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ । କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ବିଭାଗ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସଚିବ ସୂଚନା ଦେଇଛନ୍ତି । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ( ଧାନ ସଂଗ୍ରହ ) ଏବଂ ଅତିରିକ୍ତ ସଚିବ ( ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ), ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ନିବନ୍ଧକ, ସମବାୟ ସମିତି ସମୂହ, ମାର୍କଫେଡ୍ର ପରିଚାଳନା ନିର୍ଦ୍ଦେଶକ, ଓସାମ୍ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଉପକୂଳ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ , ଡିଆର୍ସିଏସ୍ ଓ ଏଆରସିଏସ୍ ପ୍ରମୁଖ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ