ଭୁବନେଶ୍ବର: ରାଜ୍ୟରେ ଗତ 8 ମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ସମାଧାନ ସରକାର କରୁନାହାନ୍ତି । ଏନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବିଧାନସଭା ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି । ନରସିଂହଙ୍କ ସହ ସ୍ବର ମିଶାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଭିନ୍ନ ସମୟରେ ନାନା ମାମଲାରେ ଜଡିତ ରହୁଥିବାରୁ ବିଧାୟକ ମଧ୍ୟ ଏହି ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି ବୋଲି ସେ କହିଛନ୍ତି ।
ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର ଓକିଲ ଆନ୍ଦୋଳନକୁ ଏକ ନୂଆ ଦିଗ ଦେବାକୁ ଯାଇ ସୌମ୍ୟ କହିଛନ୍ତି ଯେ ରାଜ୍ୟରେ ନ୍ୟାୟପାଳିକା ଚୟନକୁ ନେଇ ଏଭଳି ଅସନ୍ତୋଷ ସୃଷ୍ଟି ହେଉଛି । ନ୍ୟାୟପାଳିକା ଚୟନ କମିଟି କାହା ନାମ ସୁପାରିସ କରୁଛି ତାହା ପଦାକୁ କିପରି ଆସୁଛି । ଏଥର ମଧ୍ୟ ଜଣେ ନ୍ୟାୟପାଳିକାଙ୍କ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ହେଉଛି ଯେ ଜଣେ ଓଡିଶା ବାହାରର ଆଇନଜୀବୀଙ୍କୁ ନ୍ୟାୟପାଳିକା ଭାବେ ଚୟନ କରାଯାଉଛି ।
ଆନ୍ଦୋଳନ କରୁଥିବା ଆଇନଜୀବୀ ଅଭିଯୋଗ କରୁଛନ୍ତି ଯେ ସେ କେବେ ବି ଓଡିଶା ହାଇକୋର୍ଟରେ ମାମଲା ଲଢିନାହାନ୍ତି । ସେ ପୁଣି ଜଣେ ଅଣଓଡିଆ । ଜନପ୍ରତିନିଧି ଭାବେ ବିଧାୟକ ମଧ୍ୟ ଓକିଲ ଓ ନ୍ୟାୟପାଳିକାଙ୍କ ସମ୍ପର୍କରେ କିଛି କହିବାକୁ ଡରୁଛନ୍ତି । କାରଣ ରାଜନେତା ଭାବେ ବିଭିନ୍ନ ସମୟରେ ସେମାନେ ମୋକଦ୍ଦମାରେ ଜଡିତ ରହୁଛନ୍ତି । ଫଳରେ ନ୍ୟାୟପାଳିକାଙ୍କ ରୋଷର ଶିକାର ହେବାର ଡର ସେମାନଙ୍କୁ ଘାରି ରହିଛି ବୋଲି ସେ କହିଛନ୍ତି ।
ଏନେଇ କେବଳ ଉଦବେଗ ପ୍ରକାଶ ପାଇଥିବାବେଳେ ଏହାକୁ ଡରି କିଛି ନକହିବା ବା ଚୁପ ରହିବା ନିଜ କର୍ତ୍ତବ୍ୟ ପ୍ରତି ଅବହେଳା । ଏହାସହ ଚୁପଚାପ ସମର୍ଥନ ଦେବା ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ ବୋଲି ସୌମ୍ୟ କହିଛନ୍ତି । ତେବେ ଓଡିଆ ଢଗ 'ଆଲୋ ସଖି ଆପଣ ମହତ ଆପେ ରଖି'ର ଉଦାହରଣ ଦେଇ ସେ କହିଛନ୍ତି ଯେ ନ୍ୟାୟପାଳିକା ମଧ୍ୟ ଲୋକ ପ୍ରତିନିଧିଙ୍କ ସମ୍ମାନ ପାଇବାକୁ ହେଲେ ନିଜକୁ ସେଥିପାଇଁ ଯୋଗ୍ୟ କରିବା ଉଚିତ ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ