ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ହୋଇଛି । ଶେଷ ହୋଇଥିବା ନିର୍ବାଚନରେ ଅନେକ ନେତା ପରାଜୟ ବରଣ କରିଥିବାବେଳେ ଅନେକ ନୂଆନେତା ନିର୍ବାଚିତ ହୋଇ ଆସିଛନ୍ତି ।
ସେହିପରି ବହୁ ଅନୁଭବୀ ନେତା ନେତା ମଧ୍ୟ ବିଧାନସଭାକୁ ଫେରିଛନ୍ତି । ବିଧାନସଭାର ପରମ୍ପରା ଅନୁସାରେ ମନ୍ତ୍ରୀ, ବିଧାୟକ ମାନଙ୍କ ବସିବା ପାଇଁ ବିଧାନସଭା ପକ୍ଷରୁ ସ୍ଥାନ ବ୍ୟବସ୍ଥା କରାଯାଇଥାଏ । ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀଙ୍କ ପରେ ମୁଖ୍ୟ ସଚେତକ ବରିଷ୍ଠ ବିଧାୟକ ବିରୋଧୀ ଦଳ ନେତାଙ୍କ ପାଇଁ ବସିବାର ସ୍ଥାନ ବ୍ୟବସ୍ଥା ହୋଇଥାଏ । ଚଳିତ ଷୋଡଶ ବିଧାନସଭାରେ ମଧ୍ୟ ବ୍ୟାପକ ଅଦଳ ବଦଳ ହୋଇଛି ବିଧାନସଭାର ଆସନରେ ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବସୁଥିବା ବେଳେ ବିରୋଧୀ ଦଳ ନେତାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବିଜେପିର ପ୍ରଦୀପ୍ତ ନାୟକ ବସିବେ । ପୂର୍ବତନ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଆସନ ବଦଳି ଏଫ ବ୍ଲକର ପ୍ରଥମ ଆସନରେ ବସିବା ପାଇଁ ବ୍ୟବସ୍ଥା ହୋଇଛି । ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପୁଣି ଥରେ ଦ୍ଵିତୀୟ ଧାଡିକୁ ଫେରିଥିବା ବେଳେ ବର୍ତ୍ତମାନର କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରଥମ ଧାଡିକୁ ଆସିଛନ୍ତି ।