କୋରାପୁଟ: ଗତ ସପ୍ତାହରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ରାଜ୍ୟରେ 10ଜଣରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି । ଏମିତି 10ରୁ କମ ଛାତ୍ରଛାତ୍ରୀ ଥିବା 966ଟି ସ୍କୁଲ ସରକାର ଚିହ୍ନଟ କରିଛନ୍ତି । ବନ୍ଦ ହେବାକୁ ଥିବା ଏହି ସବୁ ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ସ୍କୁଲରେ ପାଠ ପଢିବା ନେଇ ଗଣ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହାସହ ଯେଉଁ ଛାତ୍ରଛାତ୍ରୀଙ୍କ ସ୍କୁଲ ଗୋଟିଏ କିଲୋମିଟରରୁ ଅଧିକ ହେବ ସେହି ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନା ଅନୁଯାୟୀ ସରକାର ଯାତାୟାତ ଖର୍ଚ୍ଚ ଦେବେ । ଏହି ଯାତାୟାତା ଖର୍ଚ୍ଚ ସର୍ବୋଚ୍ଚ ବାର୍ଷିକ 6 ହଜାର ଟଙ୍କା ଦେବାକୁ ଚୂଡାନ୍ତ ହୋଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ଏବେ ବି ଗମନା ଗମନ ଉନ୍ନତ ମାନର ହୋଇପାରି ନାହିଁ । ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ଅନ୍ୟତମ । ଏହି ମାଓ ଅଧ୍ୟୁଷିତ ଜିଲ୍ଲାରେ ଏବେବି ବହୁ ଅଞ୍ଚଳ ଅପହଞ୍ଚ ହୋଇ ରହିଛି । ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠ ପଢା କହିଲେ କେବଳ ପଞ୍ଚମ ଶ୍ରେଣୀଯାଏଁ ବିଦ୍ୟାଳୟ ଯାଆନ୍ତି ଛାତ୍ରଛାତ୍ରୀ । ତାପରେ ପାଠ ପଢାରେ ଲାଗିଥାଏ ଡୋରି ।
କାରଣ ଜିଲ୍ଲାର ଦଶମନ୍ତପୁର ବ୍ଲକର ଗିରଲିଗୁମ୍ମା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା କୁଲାଟି ଗାଁ ପାଇଁ ସରକାରଙ୍କ ପ୍ରୋତ୍ସାହନ ରାଶି ଏକ ଅବାସ୍ତବ ଯୋଜନା ଭଳି ମନେ ହୁଏ । କାରଣ ଏହି କୁଲାଟି ଗାଁରେ କୌଣସି ବିଦ୍ୟାଳୟ ନାହିଁ ଗାଁର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନିକଟସ୍ଥ ଆମ୍ବପଦର ଗାଁକୁ ଯାଇଥାନ୍ତି । ତାହା ପୁଣି ତିନୋଟି ପାହାଡ ଚଢି ଓ ଗୋଟିଏ ନାଳ ପାରି ହୋଇଯିବାକୁ ପଡିଥାଏ ।