ନୂଆଦିଲ୍ଲୀ : ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା । ବିଦେଶରେ ଅବୈଧ ସମ୍ପତ୍ତି କିଣିଥିବା ସମ୍ପର୍କିତ କଳାଧନ ବୈଧ ମାମଲାରେ ଗୁରୁବାର ଇଡିରେ ହାଜର ହୋଇଛନ୍ତି । ନିଜେ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଛାଡିଥିଲେ ।
ଇଡିକୁ 11 ଥରରେ 70 ଘଣ୍ଟା ସମୟ ଦେଲେ ରବର୍ଟ ଭଦ୍ରା - fb
ଇଡିରେ ହାଜର ହେବା ପରେ ନିଜ ଟ୍ବିଟର ଏବଂ ଫେସବୁକ ଆକାଉଣ୍ଟରେ ପୋଷ୍ଟ କଲେ ଭଦ୍ରା ।
ତେବେ ଭଦ୍ରାଙ୍କୁ ମାମଲାର ଯାଞ୍ଚ କରୁଥିବା ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ବୟାନ ଦେବାକୁ ସମନ ଜାରି କରାଯାଇଥିଲା । ଏହି ମାମଲାରେ ସେ ବହୁବାର ଇଡିରେ ହାଜର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭଦ୍ରା 11 ଥର ହାଜର ହୋଇଥିବା ବେଳେ 70 ଘଣ୍ଟାର ପଚରାଉଚରା ସରିଛି । ଏସଂକ୍ରାନ୍ତରେ ଭଦ୍ରା ନିଜ ଟ୍ବିଟର ଏବଂ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି । ସରକାରଙ୍କ ଅଧୀକୃତ ସବୁ ନିୟମ ଏବଂ ସମନ ମୁଁ ପାଳନ କରି ଆସୁଛି । ଯେତେ ପର୍ଯ୍ୟନ୍ତ ମୋ ଉପରେ ଥିବା ସବୁ ମିଥ୍ୟା ଅଭିଯୋଗ ଖାରଜ ନହୋଇଛି ସେପର୍ଯ୍ୟନ୍ତ ମୁଁ ଏମାନଙ୍କୁ ସହଯୋଗ କରିବି ।
ସୂଚନାଯୋଗ୍ୟ, ଭଦ୍ରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନକୁ ବାତିଲ୍ କରିବା ଏବଂ ତାଙ୍କର ବିଦେଶ ଯାତ୍ରାକୁ ବିରୋଧ କରାଯାଇ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ବିଦେଶ ଯାତ୍ରା ପାଇଁ ଭଦ୍ରାଙ୍କୁ ଅନୁମତି ଦେବା ସଂକ୍ରାନ୍ତ ରାୟକୁ ସ୍ଥାନୀୟ ଅଦାଲତ ବୁଧବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ ।