ପୁରୀ: ବାତ୍ୟା ଫନିକୁ ପୂରିଛି ମାସେ । କିନ୍ତୁ ଆଜିଯାଏଁ ସୁଧୁରିପାରିନି ବିଦ୍ୟୁତ ବ୍ୟବସ୍ଥା । ଏ ହେଉଛି ପୁରୀ ଜିଲ୍ଲାର ଦୃଶ୍ୟ । ଯେଉଁଠାରେ ଗତ ମାସ 3 ତାରିଖ ଦିନ ଲ୍ୟାଣ୍ଡଫଲ କରିଥିଲା ଫନି । ଆଉ ତା ପରର ସ୍ଥିତି ଥିଲା ଭୟାନକ, ଭୟଙ୍କର । ଫନିକୁ ମାସେ ପରି ବି ଅସଜଡା ସହରର ବିଦ୍ୟୁତ ସେବା । ବର୍ତ୍ତମାନ ସୁଦ୍ଧା ବି ଅନ୍ଧାରରେ ଜିଲ୍ଲାର ଅନେକ ସ୍ଥାନ । ସେପଟେ ପ୍ରଚଣ୍ଡ ରୌଦ୍ରତାପରେ ହନ୍ତସନ୍ତ ସହରବାସୀ ।
ପୁରୀ ବିଦ୍ୟୁତ ମଣ୍ଡଳରେ 95 ହଜାର 780 ବିଦ୍ୟୁତ ଉପଭୋକ୍ତା ଥିବା ବେଳେ ଗ୍ରାମାଞ୍ଚଳରେ ମାତ୍ର 28 ହଜାର 900 ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଜୁଳି ତାର ଏବଂ ଶ୍ରମିକ ଅଭାବ ଯୋଗୁଁ ବିଦ୍ୟୁତ ପୁନଃନିର୍ମାଣ କାର୍ଯ୍ୟ ଅଟକି ରହିଛି । ସେପଟେ ଗ୍ରାମାଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ଯୋଗାଇବାରେ ଆହୁରି ଏକ ମାସ ଲାଗିବା ନେଇ ଆଶଙ୍କା ରହିଛି । ପିପିଲିରେ 16 ପ୍ରତିଶତ, ବ୍ରହ୍ମଗିରି 18, କୃଷ୍ଣ ପ୍ରାସାଦରେ 20, ସତ୍ୟବାଦୀରେ 22, ପୁରୀ ସଦରରେ 36, ଡେଲାଙ୍ଗରେ 40 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯାଇଛି । ମାତ୍ର ଏବେ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ମିଳିନିଥିବା ଅଞ୍ଚଳରେ ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜୁଥିବା ପୁରୀ ଜିଲ୍ଲାର ବାସିନ୍ଦା କହିଛନ୍ତି ।