ଭୁବନେଶ୍ବର: 1999 ମହାବାତ୍ୟାର ଦ୍ବିତୀୟ ରୂପ 'ଫନି' । ଓଡିଶା ପାଇଁ ଥିଲା ଆଉ ଏକ କଳା ଦିବସ । ଆଖି ଆଗରେ ପୁଣି ଥରେ ଘଟିଲା ପୁନରାବୃତ୍ତି । ଆଜି ବି ସେ ଦିନକୁ ଭୁଲିନଥିବା ଓଡିଶାବାସୀଙ୍କ ପାଇଁ ପୁଣି ଫନି କରାଳ ରୂପ ଦେଖାଇଛି ।
ଖରାଦିନେ ଏଭଳି ପ୍ରଳୟଙ୍କର ବାତ୍ୟାର ଗତ 43 ବର୍ଷର ପ୍ରଥମ ବିପର୍ଯ୍ୟୟ ଏବଂ ଗତ 150 ବର୍ଷରେ ତୃତୀୟ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ପରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏଭଳି ବାତ୍ୟାକୁ ଟ୍ରାକିଂ କରିବା ବେଶ କଷ୍ଟକର ଥିଲା । ବିଭିନ୍ନ ସଂସ୍ଥା ଦ୍ୱାରା ହେଉଥିବା ପୂର୍ବାନୁମାନ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ପରେ ଏହାର ଗତିପଥ ସ୍ପଷ୍ଟ ନଥିଲା । ତେବେ ରାଜ୍ୟ ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଫନି ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଗତ 24 ଘଣ୍ଟା ମଧ୍ୟରେ ଦେଶର ସର୍ବବୃହତ ସ୍ଥାନାନ୍ତରଣ କରାଯାଇଛି । 24 ଘଣ୍ଟାରେ 12 ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମରେ ସର୍ବାଧିକ 3ଲକ୍ଷ 20 ହଜାର ଓ ପୁରୀରେ 1 ଲକ୍ଷ 20 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାତି ମଧ୍ୟରେ ୯୦୦୦ ଆଶ୍ରୟସ୍ଥଳୀରେ ମାଗଣାରେ ୭୦୦୦ ରୋଷଇ ଘରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୪୫ ହଜାର ସ୍ବେଚ୍ଛାସେବୀ, 2000 ଆପଦକାଳୀନ କର୍ମୀ, ଓଡ୍ରାଫ, ଏନଡିଆରଏଫ ଓ 1 ଲକ୍ଷ ସରକାରୀ କର୍ମଚାରୀ 24 ଘଣ୍ଟା କାମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।