ଓଡିଶା

odisha

ETV Bharat / briefs

ମେଳି ବାନ୍ଧିଲେଣି ବିରୋଧୀ, ସୋନିଆଙ୍କୁ ଭେଟିଲେ ନାଇଡୁ

ବିଜେପିକୁ ଶାସନରୁ ହଟାଇବାକୁ ବିରୋଧୀଙ୍କ ପକ୍ଷରୁ ଚାଲିଛି କଡା କସରତ । ଏଥିପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ।

By

Published : May 19, 2019, 9:58 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: 2019 ନିର୍ବାଚନୀ ଲଢେଇର ଆଜି ଥିଲା ଶେଷ ଯୁଦ୍ଧ । ମେ' 23ରେ ହେବ ଭୋଟ ଗଣତି । ସେପଟେ ବିଜେପିକୁ ଶାସନରୁ ହଟାଇବାକୁ ବିରୋଧୀଙ୍କ ପକ୍ଷରୁ ଚାଲିଛି କଡା କସରତ । ଆଉ ଏଥିରେ ମଧ୍ୟସ୍ଥି ସାଜିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଏଥିପାଇଁ ଚନ୍ଦ୍ରବାବୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ତେବେ ସୋନିଆଙ୍କ ସହ କେଉଁ ବିଷୟରେ ଚର୍ଚ୍ଚା କରିଥିଲେ ସେ ସମ୍ପର୍କରେ କୌଣସି ଖୁଲାସା କରିନଥିଲେ ମଧ୍ୟ ଉଭୟ ନେତା ନିର୍ବାଚନ ପରେ ଅଣ ବିଜେପି ସରକାର ଗଠନ ଉପରେ ଆଲୋଚନା କରିଥିବା ଅନୁମାନ କରାଯାଉଛି ।

ଏହାପୂର୍ବରୁ ନାଇଡୁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କୁ ଭେଟିଥିଲେ । ଏହାବ୍ୟତୀତ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଏସପି ସୁପ୍ରିମୋ ମାୟାବତୀ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଲୋକତାନ୍ତ୍ରିକ ଜନତା ଦଳ ମୁଖ୍ୟ ଶରଦ ଯାଦବ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ।

ଆସନ୍ତା 23 ତାରିଖ ନିର୍ବାଚନୀ ଫଳାଫଳ ବାହାରିବା ଦିନ ଏକ ବୈଠକ ପାଇଁ ଯୋଜନା ହୋଇଛି । ଉକ୍ତ ବୈଠକରେ ୟୁପିଏ ନେତା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ୱାଇସିଆର କଂଗ୍ରେସ ଦଳ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ସୋନିଆ ଗାନ୍ଧି ନିମନ୍ତ୍ରଣ କରିଛନ୍ତି । ତେବେ 23 ତାରିଖରେ ହେବାକୁ ଥିବା ବୈଠକ ପାଇଁ 22ରେ ଦଳୀୟ ନେତାଙ୍କ ସହ ପ୍ରସ୍ତୁତି ବୈଠକ ଡାକିଛନ୍ତି । ସୂଚନାନୁସାରେ, ଯଦି ନିର୍ବାଚନରେ ବିଜେପିକୁ ବହୁମତ ନମିଳେ ତେବେ ବିରୋଧୀ ଏହାର ଫାଇଦା ଉଠାଇବାକୁ ଆଗୁଆ ପ୍ରସ୍ତୁତି କରୁଛନ୍ତି ।

For All Latest Updates

ABOUT THE AUTHOR

...view details