ଭୋପାଳ:କୋଭିଡ ସଂକ୍ରମଣକୁ ନେଇ ସାରା ଦେଶରେ ହାଇ ଆଲର୍ଟ ଜାରି ରହିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଔଷଧ କଳାବଜାରୀ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେହି କ୍ରମରେ କୋଭିଡ ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇନଜେକ୍ସନ ବହୁଳ ମାତ୍ରାରେ କଳାବଜାରୀ ଓ ନକଲି କିଶମର ଔଷଧ ମଧ୍ୟ ବଜାରରେ ମିଳିଲାଣି । ନକଲି ରେମଡେସିଭିର ଇନଜେକ୍ସନ ବ୍ୟବହାର ଫଳରେ 90 ପ୍ରତିଶତ କୋଭିଡ ରୋଗୀଙ୍କ ଠାରେ ଫୁସଫୁସ ଜନିତ ସମସ୍ୟା ଦେଖାଯାଇଥିବା ମଧ୍ୟପ୍ରଦେଶ ପୋଲିସ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛି ।
ସେହିପରି ରେମଡେସିଭିର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମୋଡକୁ ମଧ୍ୟ ପୋଲିସ ଆସିଛି । ରେମଡେସିଭିର କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ହତ୍ୟାକାରୀ ବୋଲି ବିବେଚନା କରିବା ସହ ଏମାନଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ମଧ୍ୟପ୍ରଦେଶ ସରକାର । ଗୁଜୁରାଟର ଏକ ଔଷଧ କଳାବଜାରୀ ଗ୍ୟାଙ୍ଗ ଏପରି ନକଲି ରେମିଡଶିଭର ଇନଜେକ୍ସନ ସମଗ୍ ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିବା ପୋଲିସ ଜାଣିବାକୁ ପାଇଛି । ସେହିପରି ଏହି ନକଲି ଇନଜେକ୍ସନ ଗ୍ରହଣ କରିଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ 90 ପ୍ରତିଶତଙ୍କ ମୃତ୍ୟୁ ହୋଇଛି ।