ଫରିଦାବାଦ: ହରିୟାଣା କଂଗ୍ରେସ ନେତା ତଥା ଦଳୀୟ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳୁ ସକାଳୁ ବିଚ୍ ବଜାରରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣାସ୍ଥଳରୁ ଏଭଳି କାଣ୍ଡ ଘଟାଇଥିବା ହତ୍ୟାକାରୀ ଫେରାର ହୋଇଯାଇଛନ୍ତି ।
ବିଚ୍ ବଜାରର କଂଗ୍ରେସ ନେତାଙ୍କୁ ଗୁଳି ମାରି ହତ୍ୟା
ଜିମ୍ ସାରି ଫେରୁଥିବାବେଳେ ହରିୟାଣା କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଏ ଘଟଣାକୁ ନେଇ ଦଳୀୟ ନେତାଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ବିକାଶ ଫରିଦାବାଦର ସେକ୍ଟର 9 ମାର୍କେଟରେ ଜିମ ସାରିବା ପରେ ନିଜ ଗାଡି ଭିତରେ ବସିଥିଲେ। ଏହି ସମୟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ 5ରୁ 6 ରାଉଣ୍ଡ ଗୁଳି ଚଳାଇଥିଲେ । ଉକ୍ତ ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ 12 ରାଉଣ୍ଡ ଗୁଳି ଜବତ କରିଛି । ତେବେ ବିକାଶ ପ୍ରତିଦିନ ସେକ୍ଟର 9 ମାର୍କେଟ ସ୍ଥିତ ଜିମକୁ ଯାଉଥିଲେ ।
ସେପଟେ କଂଗ୍ରେସ ନେତାଙ୍କ ମୃତ୍ୟୁକୁ ନେଇ ଦଳୀୟ ଅଧ୍ୟକ୍ଷ ଓ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୂର୍ଯ୍ୟୱାଲା ଟ୍ବିଟ କରିଛନ୍ତି ଯେ, ବିଜେପି ସରକାରରେ ଏବେ ଗୁଣ୍ଡା ରାଜ ପାଲଟିଛି । ଆଇନ ବ୍ୟବସ୍ଥା ଛିନ୍ନବିଛିନ୍ନ ହୋଇଯାଇଛି। ଗୁଣ୍ଡା, ବଦମାସଙ୍କ ଶାସନ ଚାଲିଛି। ଏଭଳି ଘଟଣା ପାଇଁ କେବଳ ସରକାର ହିଁ ଦାୟୀ । ଏଥିସହିତ ବିକାଶ ଚୌଧୁରୀଙ୍କ ହତ୍ୟା ମାମଲାର ଯାଞ୍ଚ ପୋଲିସ ସଠିକ୍ ଭାବେ କରିବା ସହ ଅଭିଯୁକ୍ତକୁ ଉଚିତ୍ ଦଣ୍ଡ ଦେବାକୁ ଦାବି ହୋଇଛି । ଅପରପକ୍ଷେ ବିଚ୍ ବଜାରରେ କଂଗ୍ରେସ ପ୍ରବକ୍ତାଙ୍କ ହତ୍ୟାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟ ହଇଚଇ ସୃଷ୍ଟି ହୋଇଛି।