ଓଡିଶା

odisha

ETV Bharat / briefs

ଚାଷ ପାଇଁ ପାଗ ଅନୁକୂଳ, କିନ୍ତୁ ବିହନ ସାଜିଛି କାଳ

ନୂଆପଡା ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଚାଷୀ ପାଖରେ ନାହିଁ ବିହନ । ଯାହା ଏବେ ଚାଷୀ ପାଇଁ ଚିନ୍ତା ବିଷୟ ସାଜିଛି । ସେପଟେ ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ତରବରରେ ଚାଷୀ ଧାନବିହନ ନପାଇ ଘରେ ସଞ୍ଚୟ ରଖିଥିବା ଖାଇବା ଶସ୍ୟକୁ ବୁଣୁଛି ।

By

Published : Jun 21, 2019, 2:49 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ଜମି ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ । ହେଲେ ବୁଣିବାକୁ ବିହନ ନାହିଁ । ଅପେକ୍ଷା ସରକାରୀ ବିହନକୁ । ଆଉ ସେହି ସରକାରୀ ବିହନ କେବେ ଆସିବ ତାହା ଅନିଶ୍ଚିତତା ଘେରରେ । ନୂଆପଡା ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଚାଷ ପାଇଁ ଅଣ୍ଟା ଭିଡିଲେଣି ଚାଷୀ । କିନ୍ତୁ ଠିକ୍ ପାଗରେ ଧାନ ବୁଣିବାକୁ ପ୍ରସ୍ତୁତି ଥିବା ଚାଷୀ ପାଖରେ ନାହିଁ ବିହନ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ପୂରଣ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି । କିନ୍ତୁ ବାସ୍ତବତା ଏମାନଙ୍କ ଦୁଃଖ ଶୁଣିଲା ପରେ ଜଣାପଡୁଛି । ଜିଲ୍ଲାର ଖଡିଆଳ, ସିନାପାଲି, ବୋଡେନ, କୋମନା ଏବଂ ନୂଆପଡା ବ୍ଲକର ଚାଷୀଙ୍କୁ ଆବଶ୍ୟକୀୟ ଧାନବିହନ ମିଳୁନାହିଁ । ଏପରିକି ସାର, କୀଟନାଶକ, ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଚାଷୀ ଧାନବିହନ ନପାଇ ଘରେ ସଞ୍ଚୟ ରଖିଥିବା ଖାଇବା ଶସ୍ୟକୁ ବୁଣୁଥିବା ଦେଖାଦେଇଛି ।

ଚଳିତ ଖରିଫ ଋତୁରେ ନୂଆପଡା ଜିଲ୍ଲା କୃଷି ବିଭାଗ ୧ ଲକ୍ଷ ୮୮ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଥିପାଇଁ ଜିଲ୍ଲାର ୨୬ ଗୋଟି ସମବାୟ ସମିତି ଏବଂ ୪୮ ଗୋଟି ସରକାରୀ ବିହନ କେନ୍ଦ୍ରକୁ ଚାଷୀଙ୍କୁ ଧାନବିହନ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୃଷି ବିଭାଗ । ମାତ୍ର ବିଭାଗର ଏଭଳି ନିର୍ଦ୍ଦେଶ ପରେ ମଧ୍ୟ ଚାଷୀଙ୍କ ଧାନ ବିହନ ମିଳିପାରିନାହିଁ । ଆଉ କିଛି ସ୍ଥାନରେ କାଁଭାଁ ବିହନ ମିଳିଥିଲେ ସୁଦ୍ଧା ଆବଶ୍ୟକ ମୁତାବକ ବିହନ ମିଳିନାହିଁ । ଏଭଳି ସ୍ଥିତିରେ ବିହନ ଯୋଗାଣ ସଂସ୍ଥାର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଏନେଇ ଆମେ ଖଡିଆଳ କୃଷି ଜିଲ୍ଲା ସମବାୟ ସମିତିର ସହ ସମ୍ପାଦକଙ୍କୁ ଭେଟିଥିଲୁ । ଚାଷୀଙ୍କୁ ସୁଲଭମୂଲ୍ୟରେ ବିହନ ଯୋଗାଇ ଦିଆଯାଉଛି, ଆବଶ୍ୟକ ପଡିଲେ ଆହୁରି ବିହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲଲ ବାଗ୍, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details