କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ସୀତାବିଞ୍ଝି ଏକ କିମ୍ବଦନ୍ତୀମୟ ପ୍ରସିଦ୍ଧ ଐତିହାସିକସ୍ଥଳୀ । କିମ୍ବଦନ୍ତୀ ଅନୁସାରେ ରାମାୟଣ ଯୁଗର କଥା କୁହେ ଏହି ପର୍ଯ୍ୟଟନସ୍ଥଳୀ । ଅଯୋଧ୍ୟାରୁ ବନବାସ ସମୟରେ ସୀତା ଏହି ସ୍ଥାନରେ ରହିଥିଲେ । ଏହି ସ୍ଥାନରେ ହିଁ ସେ ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ପରେ ପାତାଳି ହୋଇଯାଇଥିଲେ । କାଳକ୍ରମେ ଜନୈକ ଶବରଙ୍କ ଦ୍ଵାରା ସୀତା ଠାକୁରାଣୀଙ୍କ ସହ ଲବ କୁଶଙ୍କ ପଥର ନିର୍ମିତ ଶିଳା ଏଠାରେ ଉନ୍ମୋଚିତ ହୋଇଥିଲା । ପରେ ମୟୂରଭଞ୍ଜ ରାଜାରାଣୀ ଏହି ଶିଳାକୁ ପୂଜା କରିବାରୁ ପୁତ୍ର ସନ୍ତାନ ଲାଭ କରିଥିବା କିମ୍ବଦନ୍ତୀ ରହିଛି ।
ସେହିଦିନ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଅପୁତ୍ରିକ ପରିବାର ଏଠାରେ ମାନସିକ କରିବାକୁ ଆସିଥାନ୍ତି । ରୀତିନୀତି ଅନୁଯାୟୀ ପୂଜା ପାଠ ମଧ୍ୟ କରିଥାନ୍ତି । ବିଶେଷ କରି ଏଠାରେ ଗୁରୁବାର ମା'ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ରଜ ପର୍ବରେ ଏଠାରେ ମେଳା ଜମିଥାଏ । ବର୍ଷ ତମାମ ଏଠାକୁ ବହୁ ପର୍ଯ୍ୟଟକ ବୁଲିବାକୁ ମଧ୍ୟ ଆସିଥାନ୍ତି ।