ଓଡିଶା

odisha

ETV Bharat / briefs

ରୋଗୀଙ୍କୁ ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଜଙ୍ଗଲ ଭିତରେ ରୋଗୀଙ୍କୁ ଷ୍ଟ୍ରେଚରରେ 6 କିମି ପର୍ଯ୍ୟନ୍ତ ରୋଗୀଙ୍କୁ ବୋହି ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

By

Published : Jul 1, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାର ସୀମାନ୍ତ ବ୍ଲକ ଆମ୍ବାଭୋନାଠାରେ ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସାନଜାମପାଳି ଗ୍ରାମର ଭୋଳା ଦୀପ । ନିଜ ପରିବାର ପ୍ରତିପୋଷଣ ପାଇଁ ଭୋଳା ଜଙ୍ଗଲ ଭିତରୁ ଜାମୁକୋଳି ସଂଗ୍ରହ କରିବାକୁ ଯାଇଥିଲେ । ମାତ୍ର ସାମାନ୍ୟ ଅସାବଧାନତା କାରଣରୁ ଜାମୁ ଗଛରୁ 20 ଫୁଟ ତଳକୁ ଖସିପଡିଥିଲେ । ଜଙ୍ଗଲରେ କେହି ନଥିବାରୁ ଦୀର୍ଘ ସମୟ ଧରି ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୌଭାଗ୍ୟବଶତଃ ଜଙ୍ଗଲକୁ ଆସିଥିବା ଲୋକେ ତାଙ୍କ ଚିତ୍କାର ଶୁଣି ତାଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କୁ ଉଦ୍ଧାର କରିବାକୁ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଘଞ୍ଚ ଜଙ୍ଗଲ ଥିବାରୁ ଗାଡିଟି ଆଗକୁ ଯାଇପାରିନଥିଲା । ଅଣ୍ଟା ଭାଙ୍ଗି ପଡିଥିବା ଭୋଳାଙ୍କୁ ଉଦ୍ଧାର କରିବା ପାଇଁ ଷ୍ଟ୍ରେଚର ଧରି ଜଙ୍ଗଲ ଭିତରକୁ ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଯାଇଥିଲେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ । ସେଠାରୁ ତାଙ୍କୁ ଉଦ୍ଧାର କରି ପୁଣି ୩ କିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ବରଗଡ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚାଇଥିଲେ ।

ତେବେ ଭୋଳାଙ୍କୁ ଉଦ୍ଧାର କରିବାରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଅରୁଣ ଛତ୍ରିଆ, ଆଟେଣ୍ଡାଣ୍ଟ ରିଲୁ ପଶାୟତ ଓ ଡ୍ରାଇଭର ସରୋଜ ପାଇକ ସହଯୋଗ କରିଥିଲେ । ତେବେ ସରକାରଙ୍କ ମାଗଣା ଆମ୍ବୁଲାନ୍ସ ସେବା ଯୋଜନାରେ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବରଗଡ ଜିଲ୍ଲାର ଏହି ଆମ୍ବୁଲାନ୍ସ କର୍ମଚାରୀଙ୍କ ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରଶଂସା କରାଯାଉଛି । ଏଥିସହିତ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ରହିଛନ୍ତି ଏହି 3 ଜଣ ଆମ୍ବୁଲାନ୍ସ କର୍ମଚାରୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details