ହାଇଦ୍ରାବାଦ:ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ ଶର୍ମିଲା ଆଜି ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିଛନ୍ତି । ନିଜ ପୁଅର ବିବାହରେ ସାମିଲ ହେବାକୁ ଶର୍ମିଲା ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଚଳିତମାସ 18 ତାରିଖରେ ଶର୍ମିଲାଙ୍କ ପୁଅ ରାଜା ରେଡ୍ଡୀଙ୍କର ଅଲଟୁରୀ ପ୍ରିୟାଙ୍କ ସହ ନିର୍ବନ୍ଧ ଓ ଆସନ୍ତାମାସ ଫେବୃଆରୀ 17ରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରିଛନ୍ତି ଶର୍ମିଲା । ଆଜି ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁ ସେ ତାଙ୍କ ବାସଭବନକୁ ଆସିଥିବା ଶର୍ମିଲା ଗଣମାଧ୍ୟମରେ କହିଛନ୍ତି ।
ଆଜି ପୂର୍ବାହ୍ନରେ ଚନ୍ଦ୍ରବାବୁ ନାଇଡୁଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ପହଞ୍ଚିଥିଲେ ଶର୍ମିଲା । ସପରିବାର ପୁଅର ବିବାହ ଉତ୍ସବରେ ଅତିଥି ହେବାକୁ ସେ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପରେ ସେ ନିଜେ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । କହିଥିଲେ,‘‘ ଚନ୍ଦ୍ରବାବୁଙ୍କ ସହ ଏହି ସାକ୍ଷାତକାରେ କୌଣସି ରାଜନୈତିକ ପ୍ରସଙ୍ଗିକତା ନାହିଁ । ମୁଁ କେବଳ ଚନ୍ଦ୍ରବାବୁଙ୍କୁ ମୋ ପୁଅର ବିବାହକୁ ନିମନ୍ତ୍ରଣ କରିବାକୁ ଆସିଥିଲି । ଓ୍ବାଇଏସଆର ମଧ୍ୟ ଚନ୍ଦ୍ରବାବୁଙ୍କୁ ଆମ ବିବାହକୁ ନିମନ୍ତ୍ରଣ କରିଥିଲେ । ଖ୍ରୀଷ୍ଟମାସରେ ମୁଁ ଚନ୍ଦ୍ରବାବୁ ଏବଂ ଲୋକେଶଙ୍କୁ ମିଠା ପଠାଇଥିଲି । ଲୋକେଶ ମଧ୍ୟ ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇଥିଲେ ।’’