ବେଙ୍ଗାଲୁରୁ:ଗତ ଜାନୁଆରୀରେ ବିନା ପ୍ରମାଣପତ୍ରରେ ନିଜ ପୁରୁଷ ବନ୍ଧୁଙ୍କ ସହ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନିଜ ଦେଶକୁ ହସ୍ତାନତର କରାଯାଇଛି । ଚଳିତବର୍ଷ ଜାନୁଆରୀ 19 ତାରିଖରେ, ମୁଲାୟମ ସିଂ ନାମକ ଜଣେ ଉତ୍ତର ପ୍ରଦେଶର ଯୁବକଙ୍କ ସହ ପାକିସ୍ତାନୀ ମହିଳାଙ୍କୁ ଗିରଫ କରାଯାଇଥିଲା । ବେଙ୍ଗାଲୁରୁ ବେଲାନ୍ଦୁର ପୋଲିସ ଉଭୟଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିଲା । ମହିଳାଙ୍କୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ଯାଞ୍ଚ ଶେଷ ହେବା ପରେ ତାଙ୍କୁ ଆଜି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି
ପୋଲିସ ସୂଚନା ଅନୁସାରେ, ଗିରଫ ହୋଇଥିବା ପାକିସ୍ତାନୀ ମହିଳାଙ୍କ ନାମ ଇକ୍ରା ଜୀୱାନୀ ଓ ତାଙ୍କ ଭାରତୀୟ ପୁରୁଷ ବନ୍ଧୁଙ୍କ ନାମ ମୂଲାୟମ ସିଂ । ମହିଳା ପାକିସ୍ତାନରୁ ବିନା କାଗଜପତ୍ରରେ ଭାରତରେ ଅନୁପ୍ରବେଶ କରିଥିଲେ । ପରେ ଉତ୍ତର ପ୍ରଦେଶର ଯୁବକ ମୂଲାୟମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଜଣଙ୍କ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଉଭୟ ବେଙ୍ଗାଲୁରୁ ଚାଲିଆସି ଘଡା ଘରେ କିଛି ମାସ ରହିଥିଲେ । ଗତିବିଧିରେ ସନ୍ଦେହ ହେବାରୁ ପୋଲିସକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଥିଲା । ପୋଲିସ ଉଭୟଙ୍କୁ ଅଟକ ରଖି ଜେରା କରିବା ପରେ ମହିଳାଜଣଙ୍କ ପାକିସ୍ତାନୀ ବୋଲି ଜଣାପଡିଥିଲା ।