ହାଇଦ୍ରାବାଦ:ଶେଷ ହୋଇଛି ବର୍ଷ ୨୦୨୩ । ଗତ ବର୍ଷ ନୂଆ ସଂସଦକୁ ନେଇ ବହୁଚର୍ଚ୍ଚିତ ଘଟଣାମାନ ଘଟିଛି । ଏହାରି ଭିତରେ ନୂଆ ସଂସଦର ଗୃହ ପ୍ରବେଶ ମଧ୍ୟ ହୋଇଥିଲା । ଯାହାକୁ ନେଇ ବାଦ ବିଦାଦ ମଧ୍ୟ ଦେଖାଯାଇଥିଲା । ନୂଆ ସଂସଦ ଭବନ ଉଦଘାଟନ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହି ଆସିଛି । ଉଦଘାଟନୀ ଉତ୍ସବରେ ବିରୋଧୀ ଯୋଗ ନଦେବା ହେଉ କି ସୁରକ୍ଷା ବିଭ୍ରାଟ । ଯାହାକୁ ନେଇ ଦେଶରେ ରାଜନୈତିକ ପାରଦ ବଢ଼ିଛି । ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି ନୂଆଁ ସଂସଦ ଭବନ । ଯାହା ସବୁ ଦିନ ପାଇଁ ଇତିହାସର ଛାତିରେ ଲିପିବଦ୍ଧ ହୋଇ ରହିବ । ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।
ଭାରତର ହେଉଛି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଦେଶକୁ ସଠିକ ଭାବରେ ଚଳାଇବା ପାଇଁ ହେଲେ ଏହି ସଂସଦ ଭବନରୁ ହିଁ ଗୋଟି ଚାଳନା କରାଯାଇଥାଏ । ହେଲେ ପୂର୍ବରୁ ଗୋଟିଏ ସଂସଦ ଭବନ ରହିଥିଲେ ମଧ୍ୟ କାହିଁକି ଆଉ ଗୋଟିଏ ସଂସଦ ଭବନର ପରିକଳ୍ପନା କରାଯାଇଥିଲା । ଯାହାକୁ ନେଇ ମଧ୍ୟ ରାଜନୀତି ହୋଇଥିଲା । ବିରୋଧୀ ନୂଆ ସଂସଦର ଆବଶ୍ୟକତା ନଥବା କଥା କହୁଥିବା ବେଳେ ନୂଆ ଭାରତର ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ନଥିବା କଥା କହି ନୂଆ ସଂସଦ ଭବନ ନିର୍ମାଣ କରିଥିଲେ ସରକାର । ତେବେ କାହିଁକି ପଡିଲା ନୂଆ ସଂସଦ ଭବନ ନିର୍ମାଣ ଆବଶ୍ୟକତା ଆସନ୍ତୁ ଜାଣିବା ।
ନୂଆ ସଂସଦ
ପ୍ରାୟ ଶହେ ବର୍ଷ ଅର୍ଥାତ ୧୩୨୭ ମସିହାରେ ଇଂରେଜଙ୍କ ଦ୍ବାରା ପୁରୁଣା ସଂସଦ ଭବନ ନିର୍ମାଣ କରାଯାଇଥିଲା । ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରେ ଏହାକୁ ସମ୍ବିଧାନ ସଭା ପାଇଁ ବ୍ୟବହାର କରାଯାଉଥିବା ବେଳେ ସ୍ବାଧୀନତା ପରେ ଏହା ସ୍ବାଧୀନ ଭାରତର ସଂସଦ ଭବନର ମାନ୍ୟତା ପାଇଥିଲା । ଯେଉଁଥିରେ ନିମ୍ନ ସଦନ ଲୋକସଭା ପାଇଁ ମୋଟ ୫୪୫ଟି ଆସନ ଏବଂ ରାଜ୍ୟସଭା ପାଇଁ ୨୪୫ଟି ଆସନ ରହିଥିଲା । କିନ୍ତୁ ସମୟ ଅନୁସାରେ ଏଠାରେ ସ୍ଥାନ ଏବଂ ଭିତ୍ତିଭୂମିର ଅଭାବ ଦେଖାଦେଇଥିଲା । ତେଣୁ ଏକ ନୂତନ ସଂସଦ ଗୃହ ନିର୍ମାଣର ପରିକଳ୍ପନା କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୦ ମସିହା ଡ଼ିସେମ୍ବର ୧୦ ତାରିଖରେ ନୂତନ ସଂସଦ ଗୃହର ଆଧାର ଶିଳା ସ୍ଥାପନା କରିଥିଲେ । ଏହା ୬୫ ଜହାର ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବେଷ୍ଟିତ । ପ୍ରାୟ ୬୦ ହଜାର ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରୟା ଅଢ଼େଇ ବର୍ଷ ଧରି ଏହି ଭବ୍ୟ ସଂସଦ ଭବନର କାର୍ଯ୍ୟ ଜାରିରହିଥିଲା । ଏଥିରେ ଭାରତର ଭବ୍ୟତା ଓ ସାଂସ୍କୃତିକ ବିଭିଧତାର ଝଲକ ମଧ୍ୟ ଦେଖିବାକୁ ମିଳେ । ତେବେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଏହାର ଶୁଭ ଉଘାଟନ କରିଥିଲେ । ହେଲେ ପୂର୍ବରୁ ଏହାକୁ ନେଇ ଜାରି ରହିଥିବା ବିବାଦ ଉଦଘାଟନୀ ଉତ୍ସବରେ ମଧ୍ୟ ଦୃଶ୍ୟମାନ ହୋଇଥିଲା ।
1. ଉଦଘାଟନୀ ଉତ୍ସବକୁ ଗଲେନି ବିରୋଧୀ:
ବହୁ ପ୍ରତୀକ୍ଷାର ଅନ୍ତଘଟାଇ ଚଳିତ ବର୍ଷ ମେ’ ୨୮ ତାରିଖରେ ନୂତନ ସଂସଦ ଗୃହକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହି ସର୍ବୋଚ୍ଚ ବ୍ୟବସ୍ଥାପିକା ଗୃହ ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପିତ ହେବା ଉଚିତ ବୋଲି ବିରୋଧୀ ଯୁକ୍ତି ବାଢିଥିଲେ । ରାଜନୈତିକ ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିବା ସହ ବିରୋଧୀ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ବର୍ଜନ କରିବାକୁ ପଛାଇନଥିଲା । ଏଥିରେ କେବଳ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏନ୍ଡିଏ ସହଯୋଗୀ ଦଳର ନେତାମାନେ ହିଁ ଯୋଗ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଚର୍ଚ୍ଚା ଓ ଆଲୋଚନା ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ଗଣତାନ୍ତ୍ରିକ ଗୃହ ବିରୋଧୀଶୂନ୍ୟ ଭାବେ ଲୋକାର୍ପିତ ହୋଇଥିଲା ।
2.ସଂସଦ ଭବନରେ ସର୍ବଧର୍ମ ପ୍ରାର୍ଥନା:
ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ନିମନ୍ତ୍ରିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ । ସକାଳ 7ଟା 30ରେ ନୂଆ ସଂସଦ ଭବନରେ ହୋମ ଯଜ୍ଞ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଯଜ୍ଞ ସାମିଲ ହେବା ପରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ସ୍ଥାପନ କରିଥିଲେ । ଯାହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତାର ପରିଚୟ ପ୍ରଦାନ କରିଥିଲା ।