ନୂଆଦିଲ୍ଲୀ:ଯାହା ରାଜଧାନୀ ଦିଲ୍ଲୀରେ କେବେ ହୋଇନଥିଲା ତାହା ଚଳିତ ବର୍ଷାରେ ହେଲା । ବନ୍ୟାରେ ଉବୁଟୁବୁ ହେଲା ରାଜଧାନୀ । ଯମୁନାର ଜଳସ୍ତର ସର୍ବକାଳୀନ ରେକର୍ଡ ଅତିକ୍ରିମ କଲା । ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ହରିୟାଣାର ଭୂମିକା କଥା ଉଠାଇଲେ । ଯମୁନାରେ ଜଳସ୍ତର ବୃଦ୍ଧି ହେବାର କାରଣ ଯମୁନାର ଉପରମୁଣ୍ଡରେ ଥିବା ହରିୟାଣରର ହଥିନୀକୁଣ୍ଡ ବ୍ୟାରେଜରୁ ଅନିୟନ୍ତ୍ରିତ ଭାବେ ଜଳ ଛଡାଯିବାକୁ କାରଣ ଭାବେ ଦର୍ଶାଇଥିଲ କେଜ୍ରିଓ୍ବାଲ ।
ଏବେ ଯମୁନାରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ହଲେ ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା ଦୂର ହୋଇନି । ଏବେ ମଧ୍ୟ ବୁଡି ରହିଛି ପ୍ରାୟ ଅଧା ଦିଲ୍ଲୀ । ଏହାରି ମଧ୍ୟରେ ବନ୍ୟା ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଗଲାଣି । ଦିଲ୍ଲୀରେ ବନ୍ୟା ସ୍ଥିତି ସୃଷ୍ଟି କରିବା କେନ୍ଦ୍ର ଓ ହରିୟାଣା ସରକାରଙ୍କ ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି ସଙ୍ଗୀନ ଅଭିଯୋଗ କରିଛି ଶାସକ ଆମ ଆଦମୀ ପାର୍ଟି ।
ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ବାଜ ସିଧା କେନ୍ଦ୍ର ସରକାର ଓ ହରିୟାଣରେ ଶାସନରେ ଥିବା ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି । ସୃଷ୍ଟି ହୋଇଥିବା ବନ୍ୟା କେନ୍ଦ୍ର- ହରିୟାଣା ସରକାରଙ୍କ ଏକ ମିଳିତ ଷଡଯନ୍ତ୍ର । ଏକ ପ୍ରେସମିଟକୁ ସମ୍ବୋଧିତ କରି ଭରଦ୍ବାଜ କହିଛନ୍ତି, ଦିଲ୍ଲୀରେ ଗତ 3 ରୁ 4 ଦିନ ହେବ ବର୍ଷା ହୋଇନଥିଲା । ହେଲେ ଯମୁନା ଜଳସ୍ତର 208.66 ମିଟର ଛୁଇଁଲା । ହରିୟାଣା ସରକାର ଉଦ୍ଦେଶ୍ୟମୂଳକ ଭାବେ ଯମୁନାରେ ବନ୍ୟାଜଳ ଛାଡିବା ପରେ ଏପରି ବନ୍ୟା ସ୍ଥିତି ସୃଷ୍ଟି ହେଲା । 9 ରୁ 13 ତାରିଖ ମଧ୍ୟରେ ଷଡଯନ୍ତ୍ରମୂଳକ ଭାବେ ଯମୁନା ନଦୀର ଉପରମୁଣ୍ଡରେ ଥିବା ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ 3ଟି କେନାଲ ଦେଇ ବନ୍ୟାଜଳ ଛଡାଗଲା । ଫଳରେ ଯମୁନା ଅନିୟନ୍ତ୍ରିତ ଭାବେ ଫୁଲିବା ସହ ଦିଲ୍ଲୀରେ ବନ୍ୟା ହେଲା ।