ଓଡିଶା

odisha

ETV Bharat / bharat

ଆଦିବାସୀଙ୍କ ପାଇଁ ଦ୍ରୌପଦୀ ମୁର୍ମୁ କରିଥିବା କାମର ହିସାବ ସାର୍ବଜନୀନ କରନ୍ତୁ: ଯଶୱନ୍ତଙ୍କ ସିହ୍ନା

ବିରୋଧିମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନା । ବିପକ୍ଷରେ ରହିଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତେବେ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ଏନଡିଏ ପ୍ରାର୍ଥୀ କରିବା ନିଷ୍ପତ୍ତିକୁ କିପରି ସେ ଦେଖୁଛନ୍ତି ଏବଂ ଦଳର ନିର୍ବାଚନ ରଣନୀତି କ'ଣ ରହିଛି ? ସେନେଇ ଏକ ସାକ୍ଷାତକାରରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ସିହ୍ନା । ପଢନ୍ତୁ ବିସ୍ତୃତରେ

By

Published : Jun 24, 2022, 1:48 PM IST

President Polls: ଯଶୱନ୍ତଙ୍କ ପ୍ରଶ୍ନ, ଆଦିବାସୀଙ୍କ ପାଇଁ କ'ଣ କରିଛନ୍ତି ଦ୍ରୌପଦୀ ମୁର୍ମୁ
President Polls: ଯଶୱନ୍ତଙ୍କ ପ୍ରଶ୍ନ, ଆଦିବାସୀଙ୍କ ପାଇଁ କ'ଣ କରିଛନ୍ତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏକାସାଙ୍ଗରେ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି । ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ NDA ପ୍ରାର୍ଥୀ କରିଛି । ରାଷ୍ଟ୍ରପତି ନିର୍ବାଚନୀ ଦୌଡରେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କ ପ୍ରାର୍ଥିତ୍ବକୁ ଅନେକ ରାଜନୈତିକ ଦଳ ସ୍ବାଗତ ଏବଂ ସମର୍ଥନ କରିଛନ୍ତି । ଯାହାକି ମୁର୍ମୁଙ୍କ ପାଇଁ ଦେଶର ସର୍ବୋଚ୍ଚ ପଦବୀ ଯାଏଁ ଲମ୍ବିଥିବା ରାସ୍ତାକୁ ସହଜ କରିଦେଇଛି । ସେପଟେ ପୁରୁଖା ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିରୋଧି ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ।

President Polls: ଯଶୱନ୍ତଙ୍କ ପ୍ରଶ୍ନ, ଆଦିବାସୀଙ୍କ ପାଇଁ କ'ଣ କରିଛନ୍ତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦୌଡରେ ଥିବା ସିହ୍ନା ଜଣେ ଆଇଏଏସ ଅଫିସର ଅଟନ୍ତି । ଯିଏକି ପରବର୍ତ୍ତୀ ସମୟରେ ଜନତା ଦଳ ଜରିଆରେ ରାଜନୀତିରେ ପାଦ ଦେଇଥିଲେ । ଏହାପରେ କିଛି ବର୍ଷ ବିଜେପିରେ କାର୍ଯ୍ୟ କରିବା ବାଦ୍ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ବର୍ତ୍ତମାନ ବିରୋଧି ଦଳରେ ପ୍ରାର୍ଥୀ ଭାବେ ସିହ୍ନା ନିର୍ବାଚକୁ ଓହ୍ଲାଇଛନ୍ତି । ତେଣୁ ଜଣେ ଆଦିବାସୀ ମହିଳା ପ୍ରାର୍ଥୀ ସହ ଲଢେଇ କେତେ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ, ନିଜର ପ୍ରତିଦ୍ବନ୍ଦ୍ବୀଙ୍କୁ ସେ କିପରି ଦେଖୁଛନ୍ତି ଏବଂ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଭାବେ ତାଙ୍କ କ୍ୟାରିୟର କିପରି ରହିଥିଲା, ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବଖାଣିଛନ୍ତି ଯଶୱନ୍ତ ସିହ୍ନା ।

ସାକ୍ଷାତକାର ସମୟରେ ଇଟିଭି ଭାରତ ପ୍ରତିନିଧି ସିହ୍ନାଙ୍କୁ ପ୍ରଶ୍ନ କରିଥିଲ ଯେ, ବିଜୟ ଠାରୁ କେବଳ ଏକ ପ୍ରତିଶତ ଭୋଟ ଦୂରରେ ରହିଛି ଏନଡିଏ । ତେଣୁ ବିହାର, ଝାଡଖଣ୍ଡ ଓ ଓଡିଶାର ରାଜନୈତିକ ଦଳର ସମର୍ଥନ ସେ ନିଜ ଆଡକୁ କିପରି ଟାଣିବେ ? ଏହାର ଉତ୍ତରରେ ସିହ୍ନା କହିଛନ୍ତି, "ବିଭିନ୍ନ ଦଳର ସମର୍ଥନ ପାଇଁ ଆମର କିଛି ରଣନୀତି ରହିଛି ଯାହାକି ମୁଁ ସାର୍ବଜନୀନ କରିପାରିବି ନାହିଁ । ବର୍ତ୍ତମାନ ନିରାଶ ହେବା ଭଳି କୌଣସି ସ୍ଥିତି ନାହିଁ । ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯଦିଓ ମୁଁ ଏ ଯାଏଁ କଥା ହୋଇନାହିଁ, କିନ୍ତୁ ମୋ ସପକ୍ଷରେ ଅନେକ ଲୋକ ସେମାନଙ୍କ ସାଙ୍ଗରେ ଆଲୋଚନା କରିସାରିଛନ୍ତି ।"

ଜଣେ ଆଦିବାସୀ ମହିଳା ନେତ୍ରୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏନଡିଏର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ମଧ୍ୟ । ଦ୍ରୌପଦୀ ମୁର୍ମୁ ଆଦିବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟ କରିଥିବାର ଉଦାହରଣ ଦିଆଯାଉଛି । କିନ୍ତୁ ଏହା ଉପରେ ପ୍ରତିଦ୍ବନ୍ଦୀ ସିହ୍ନା ପ୍ରଶ୍ନ ଉଠାଇଛନ୍ତି । ଝାଡଖଣ୍ଡର ରାଜ୍ୟପାଳ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିସାରିଥିବା ଦ୍ରୌପଦୀ ମୁର୍ମୁ ଯଦି ଆଦିବାସୀଙ୍କ ସ୍ବାର୍ଥ ସମ୍ବଳିତ ଅନେକ କାର୍ଯ୍ୟ କରିଛନ୍ତି, ତାହାହେଲେ ସେ ଏହାର ରେକର୍ଡ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି ସିହ୍ନା ।

ଇଟିଭି ଭାରତକୁ ସିହ୍ନା କହିଛନ୍ତି, ''ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ତାଙ୍କୁ ବହୁତ ସହାନୁଭୂତି ମିଳୁଥିବା କିଛି ଲୋକ କହୁଛନ୍ତି । କିନ୍ତୁ ଏହି ଲଢେଇ ମୁଁ କିମ୍ବା ତାଙ୍କ( ଦ୍ରୌପଦୀ ମୁର୍ମୁ) ମଧ୍ୟରେ ହେଉନାହିଁ । ଏହା ହେଉଛି ବିଚାରଧାରାର ଲଢେଇ । କିଏ କେଉଁ ପରିବାରର ଜନ୍ମ ହୋଇଛି ଏବଂ କାହାର ପରିଚୟ କ'ଣ ତାହା ଗୁରୁତ୍ବ ରଖେନାହିଁ । ଦୁର୍ବଳ ତଥା ପଛୁଆ ବର୍ଗ ଏବଂ ମହିଳାଙ୍କ ଅଗ୍ରଗତି ହେଉଛି ମୁଖ୍ୟ ପ୍ରସଙ୍ଗ । ଏହି କ୍ଷେତ୍ରରେ ମୁଁ ଅର୍ଥମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଭାବେ ମୋର କାର୍ଯ୍ୟକାଳ ସମୟରେ ଅନେକ କିଛି କରିଛି ।

ତତ୍କାଳୀନ ଅର୍ଥମନ୍ତ୍ରୀ ଭାବେ ମୁଁ ଉପସ୍ଥାପନ କରିଥିବା ସମସ୍ତ ୫ଟି ବଜେଟରେ ଦେଶର ଏସସି ଏବଂ ଏସଟି ଜନସାଧାରଣଙ୍କ ଉପରେ ଗୁରୁତ୍ବ ଦେଇଥିଲି ଏବଂ ସର୍ବଦା କଲ୍ୟାଣକାରୀ ପଦକ୍ଷେପ ସହ ଆଗକୁ ଆସୁଥିଲି । କ୍ଷମତାରେ ଥିବା ବେଳେ ଆଦିବାସୀ ବହୁଳ ଉତ୍ତରପୂର୍ବ ଅଞ୍ଚଳରେ ଆଦିବାସୀଙ୍କ ଉନ୍ନତି ପାଇଁ ମୁଁ କାର୍ଯ୍ୟ କରିଛି । ବିହାରର ଆଦିବାସୀ ଅଧ୍ୟୁଷିତ ଗିରି ଜିଲ୍ଲାରେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଥିବା ଅମଳରେ କ୍ଷମତା ଅନୁଯାୟୀ ସେମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିଛି । କେବଳ ବିହାର ନୁହେଁ, ଝାଡଖଣ୍ଡ ସନ୍ଥାଳ ପରଗନା ଜିଲ୍ଲାରେ ଡେପୁଟି କମିଶନର ଭାବେ ମଧ୍ୟ ଲୋକଙ୍କ ବିକାଶ ଉପରେ ଧ୍ୟାନ ଦେଇଛି । ଆଦିବାସୀ ଜନସାଧାରଣ ସହ ମିଳିତ ଭାବେ କାମ କରିଛି ଏବଂ ତାଙ୍କ ସହ ଖାଇଛି ମଧ୍ୟ । ତେଣୁ ରାଜନେତା ଓ ଆଇଏସ ଅଧିକାରୀ ରୂପେ ମୋର ପୁରା କ୍ୟାରିୟର ଲୋକଙ୍କ ସେବାରେ କଟିଛି ।''

ଯଶୱନ ସିହ୍ନା ନିଜର ପ୍ରତିଦ୍ବନ୍ଦୀଙ୍କ ଠାରୁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟର ବିବରଣୀ ଚାହିଁଛନ୍ତି । ସେ କହିଛନ୍ତି, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶାର କ୍ୟାବିନେଟ ମନ୍ତ୍ରୀ ସଙ୍ଗେ ସଙ୍ଗେ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ଏହି ମହତ୍ବପୂର୍ଣ୍ଣ ପଦପଦବୀରେ ଥିବା ସମୟରେ ସେ ଆସୁଥିବା ଆଦିବାସୀ ସମ୍ପ୍ରଦାୟ ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ କିପରି ସାହାଯ୍ୟ କରିଛନ୍ତି ତାହାର ରେକର୍ଡ ସର୍ବସାଧାରଣରେ ପ୍ରକାଶ କରନ୍ତୁ ।

ପୂର୍ବରୁ କୌଣସି ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଦେଶରେ ରାଷ୍ଟ୍ରପତି ହୋଇନାହାନ୍ତି । କିନ୍ତୁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ କରିଛି । ତେଣୁ ଏହା ବିଜେପିର ଏକ ରାଜନୈତିକ ଚାଲ୍ ବୋଲି ଭାବୁଛନ୍ତି କି ? ଏହି ପ୍ରଶ୍ନରେ ସିହ୍ନା କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ରାଷ୍ଟ୍ରପତିଙ୍କ ନାମ 'Y' ଅକ୍ଷରରୁ ଆରମ୍ଭ ହୋଇନାହିଁ । ତେଣୁ ସବୁକିଛି ପ୍ରଥମ ଥର ହୁଏ । ୨୦୧୭ରେ କାହିଁକି ଦଳ ମୁର୍ମୁଙ୍କୁ ପ୍ରାର୍ଥୀ କଲା ନାହିଁ ବୋଲି ମୋଦି ସରକାରଙ୍କୁ ପ୍ରଶ୍ନ କରିବାକୁ କହିଛନ୍ତି ସିହ୍ନା ।

ସେହିପରି ପ୍ରଥମେ ଫାରୁକ ଅବଦୁଲ୍ଲା, ପରେ ଶରଦ ପାୱାର ଓ ଗୋପାଳକ୍ରିଷ୍ଣ ଗାନ୍ଧୀ ବିରୋଧିଙ୍କ ପ୍ରାର୍ଥୀ ହେବାକୁ ଅମଙ୍ଗ ହେବା ସେ ପ୍ରାର୍ଥୀ ହେବା ନେଇ ସିହ୍ନା କହିଛନ୍ତି, ସମସ୍ତଙ୍କ ନିଜ ନିଜର ଚିନ୍ତାଧାରା ରହିଛି । ବୈଠକ ପରେ ଶରଦ ପାୱାର ଏବଂ ମଲ୍ଲିକାର୍ଜୁନ ତାଙ୍କୁ ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିଥିବା ସିହ୍ନା ପ୍ରକାଶ କରିଛନ୍ତି । ଏଥିସହ ନାମାଙ୍କନ ଦାଖଲ ପରେ ସେ ପ୍ରଥମ ବିହାରରୁ ନିଜ କ୍ୟାମ୍ପେନ ଆରମ୍ଭ କରିବେ ବୋଲି ଜଣାଇଛନ୍ତି ।

ABOUT THE AUTHOR

...view details