ହାଇଦ୍ରାବାଦ: କଥାରେ ଅଛି ଗୋଟିଏ ଫଟୋ ଶହେ କଥା କହେ । ଗୋଟିଏ ଫଟୋ ନିରବ ଭାଷା କାହାଣୀଠାରୁ ବି ବଳିଯାଏ । ଗୋଟିଏ ମୁହୁର୍ତ୍ତକୁ କ୍ୟାମେରା ଲେନ୍ସରେ କ୍ଲିକ କରି କାଳ କାଳକୁ ସ୍ମୃତି ପାଇଁ ସାଇତି ରଖାଯାଏ । ଆଉ ସେହି ଫଟୋକୁ ଉତ୍ତୋଳନ କରନ୍ତି ଦକ୍ଷ ଫଟୋଗ୍ରାଫର । ଚାଲି ଯାଇଥିବା ଦିନର ପ୍ରତିଟି ମୁହୁର୍ତ୍ତ ମନେ ପଡିଲେ ଫଟୋ ଆଲବମରେ ସାଇତି ହୋଇ ରହିଥିବା ସେ ସ୍ମୃତିକୁ ଦେଖି ଦିନଗୁଡିକୁ ମନେ ପକାଇବାରେ ସହାୟକ ହୁଏ ଫଟୋ । ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରେ ସାରା ଦେଶ ।
ଆଜିର ଦିନଟି ସେହିମାନଙ୍କ ପାଇଁ ସମର୍ପିତ ଯିଏ ସ୍ବତନ୍ତ୍ର ମୁହୁର୍ତ୍ତକୁ କ୍ୟାମେରାରେ ଉତ୍ତୋଳନ କରି ଅନ୍ୟମାନଙ୍କ ଦୁଷ୍ଟି ଆକର୍ଷଣ କରନ୍ତି । ଫଟୋଗ୍ରାଫି ଏକ କଳା । ଆଉ ଏହି କଳା ପ୍ରତି ଆଗ୍ରହ ରଖିଥିବା ଓ ଏହାକୁ କ୍ୟାରିୟର କରିବା ନେଇ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ସହାୟତା ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି । କେବଳ ଯେ ଫଟୋଗ୍ରାଫର ତାହା ନୁହେଁ, ଫଟୋଗ୍ରାଫିକୁ ପସନ୍ଦ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଜିର ଏହି ଖାସ ।
1839 ମସିହାରେ ବ୍ରିଟିଶ ବୈଜ୍ଞାନିକ ଜନ ହର୍ସେଲ ଏହି ଶବ୍ଦଟିକୁ ପ୍ରଥମେ ଆବିଷ୍କାର କରିଥିଲେ । ଏହା ମୁଖ୍ୟତଃ ଦୁଇଟି ଶବ୍ଦ ‘ଫୋସ- ଆଲୋକ’ ଓ ‘ଗ୍ରାଫ- ଚିତ୍ର ବା ଲେଖା’କୁ ନେଇ ସଂଯୋଜିତ । ସମ୍ମୀଳିତ ଭାବେ ଫଟୋଗ୍ରାଫିର ଅର୍ଥ ହେଉଛି ଆଲୋକ ଦ୍ବାରା ଚିତ୍ର ଆଙ୍କିବା । ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଜୀବନର ଏକ ଅଙ୍ଗ ପାଲଟିଛି । କିଏ ଏହାକୁ ପେଶା ତ ଆଉ କିଏ ନିଶା ଭାବରେ ଗ୍ରହଣ କରି ନେଇଛନ୍ତି । ଉଡିଯାଉଥିବା ପକ୍ଷୀ ହେଉ କି ଶିକାର ଖୋଜୁଥିବା ମହାବଳ ସବୁର ଚିତ୍ରକୁ କ୍ୟାମେରାରେ କଏଦ କରେ ଫଟୋଗ୍ରାଫରଟିଏ ।