କାବୁଲ:ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ । ଯଦି ବାହାରିବେ, ତେବେ ଶରୀରର କୌଣସି ଅଙ୍ଗ ଯେପରି ବାହାରକୁ ଦେଖାଯିବ ନାହିଁ । ହାଇ ହିଲ୍ ଥିବା ସ୍ୟାଣ୍ଡେଲ ପିନ୍ଧିବେ ନାହିଁ । ଉଚ୍ଚସ୍ବରରେ କଥା ହେବେ ନାହିଁ । ଆହୁରି ଅନେକ କିଛି । ଯାହାକୁ ନେଇ ଆଫଗାନିସ୍ତାନରେ ବାସ କରୁଥିବା ମହିଳାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କିନ୍ତୁ ବର୍ତ୍ତମାନ ପୁରୁଷ ଯୁବପିଢିଙ୍କ ମଧ୍ୟରେ ଦେଖାଦେଇଛି ତାଲିବାନୀ ଆତଙ୍କ । ଭୟରେ ଥରହର ହେଉଛନ୍ତି ଯୁବକ ବର୍ଗ । କ୍ରୁର ତାଲିବାନମାନେ ଲାଗୁ କରିଥିବା ନିୟମ ମଧ୍ୟରେ ଆଉ ଏକ ନୂଆ ନିୟମ ଉଦ୍ରେକ ହେଉଛି ।
ଉକ୍ତ ନିୟମ ହେଲା, ମହିଳାମାନେ ଯଦି ନେଲପଲିସ ଲଗାଇବେ, ତେବେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯିବ । ଆଉ ଯଦି ଯୁବକମାନେ କୁର୍ତ୍ତା ପାଇଜାମା ବ୍ୟତୀତ ଜିନ୍ସ ପ୍ୟାଣ୍ଟ ପିନ୍ଧିବେ, ତେବେ ସେମାନଙ୍କୁ ପ୍ରବଳ ମାଡ ହେବ । ତାଲିବାନର ଏହି ନୂଆ ନିୟମରେ ଅତିଷ୍ଠ ଯୁବବର୍ଗ ଓ ମହିଳା । ନୃଶଂସ ତାଲିବାନର ମାନସିକତା ଯେ କେତେ କ୍ରୁର, ତାହା କିଛି ଦିନ ମଧ୍ୟରେ ସାରା ବିଶ୍ବକୁ ଅବଗତ ହୋଇଯାଇଛି । ଏହି ନିୟମ ଲାଗୁ କରିବା ସହ ଏହାକୁ ଯଥା ଶୀଘ୍ର ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଯିଏ ଏହି ନିୟମରୁ ବାହାରିଯିବ, ତାର ପରିସ୍ଥିତି ବଡ ଭୟଙ୍କର ହେବ ବୋଲି ତାଲିବାନ ସ୍ପଷ୍ଟୋକ୍ତି କରିଛି । ନିକଟରେ ଏକ ଖବର ପ୍ରକାଶିତ ହୋଇଥିଲା, ଯେଉଁଥିରେ କିଛି ଯୁବକ ଜିନ୍ସ ପିନ୍ଧି ରାସ୍ତାରେ ଗଲାବେଳେ କିଛି ତାଲିବାନ ଆତଙ୍କୀ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ରାସ୍ତା ମଝିରେ ଯୁବକଙ୍କୁ ନାଲିଆଖି:
ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଜଣେ ଯୁବକ ଓ ତାଙ୍କ ସାଙ୍ଗକୁ ଜିନ୍ସ ପିନ୍ଧିବା ନେଇ ରାସ୍ତା ମଝିରେ ଖୁବ୍ ମାଡ ହୋଇଥିଲା । ଉକ୍ତ ଯୁବକ ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ସାଙ୍ଗମାନଙ୍କ ସହ କାବୁଲ ସହରରୁ କେଉଁଆଡେ ଯାଉଥିଲେ । ଠିକ୍ ସେହି ସମୟରେ ତାଲିବାନ ଆତଙ୍କୀ ଭରା ହୋଇଥିବା ଏକ ଗାଡି ତାଙ୍କ ନିକଟରେ ଆସି ପହଞ୍ଚିଲା । ସେମାନେ ଗାଡିରୁ ଓହ୍ଲାଇ ଆସି ଜିନ୍ସ କାହିଁକି ପିନ୍ଧିଛ ବୋଲି ପଚାରିଲେ । ମୁସଲିମ ଧର୍ମରେ ଜିନ୍ସ ପିନ୍ଧିବା ଆହ୍ଲାଙ୍କୁ ଅନାଦର କରିବା ସହ ସମାନ ହୋଇଥାଏ । ଏହା ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ବନ୍ଧୁକ ସହ ନାଲି ଆଖି ଦେଖାଇ ଏହି ଭୁଲ ଦ୍ବିତୀୟ ଥର ନ କରିବା ପାଇଁ ତାଗିଦ କରିଥିଲେ ।