ଚେନ୍ନାଇ: ଅନୈତିକ ପ୍ରେମ ପାଇଁ ପିଶାଚୀ ସାଜିଲା ମାଆ । ଜନ୍ମକଲା ଝିଅ ସହ ଦୁଷ୍କର୍ମ କରିବାକୁ ନିଜ ପ୍ରେମିକକୁ ଦେଲା ଅନୁମତି । ଏପରିକି ଝିଅଟି ଗର୍ଭବତୀ ହେବାରୁ ପ୍ରେମିକ ସହ ତା'ର ବାହାଘର ମଧ୍ୟ କରାଇଦେଲା । ଚେନ୍ନାଇରୁ ଜଣେ ମାଆର ଏଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ନାବାଳିକା ଝିଅଟି ଏକ ଶିଶୁକୁ ଜନ୍ମ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଦିନ ମଜୁରିଆ ଭାବେ କାମ କରନ୍ତି । ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା ।
କିନ୍ତୁ ସେହି ବ୍ୟକ୍ତି ମହିଳାଙ୍କ ନାବାଳିକା ଝିଅକୁ ବାହାହେବାକୁ ଚାହୁଁଥିବା କହିଥିଲେ । ଏହାଶୁଣି ମହିଳା ଜଣକ ନିଜ ଜନ୍ମକଲା 17 ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପାଇଁ ପ୍ରେମିକକୁ ଅନୁମତି ଦେଇଥିଲେ । କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲା । କେହି ଯେପରି ଘଟଣା ସମ୍ପର୍କରେ ନ ଜାଣିବେ ସେଥିପାଇଁ ମହିଳା ଝିଅର ସ୍କୁଲ ଯିବା ବନ୍ଦ କରିବା ସହ ନିଜ ପ୍ରେମିକ ସାଙ୍ଗରେ ତାର ବାହାଘର କରାଇ ଦେଇଥିଲେ । ମେ 1 ତାରିଖ ଦିନ ନାବାଳିକାର ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ବାଥରୁମରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମପରେ ଶିଶୁଟି ଅସୁସ୍ଥ ହୋଇଯିବାରୁ ଚିକିତ୍ସା ପାଇଁ ତାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।