ହାଇଦ୍ରାବାଦ:ପାରିବାରିକ କଳହର କରୁଣ ପରିଣତି । ୪ ଛୁଆଙ୍କୁ କେନାଲରେ ଫିଙ୍ଗି ମାରିଲା ମାଆ । ଜନ୍ମକଲା ପିଲାଙ୍କୁ ଫିଙ୍ଗିବା ପରେ ନିଜେ ବି ପାଣିକୁ ଡେଇଁ ପଡିଲା । ଶନିବାର ଦିନ ତେଲେଙ୍ଗାନାର ନାଗର କୁର୍ନୋଲ ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । କେନାଲରୁ ୩ ଜଣ ପିଲାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ୭ ମାସର ଶିଶୁପୁତ୍ର ନିଖୋଜ ଅଛି । ତେବେ ସ୍ଥାନୀୟ ଲୋକେ ମହିଳାଙ୍କୁ ପାଣିରୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ୮ ବର୍ଷ ତଳେ ମାଙ୍ଗାନୁର ଗାଁର ସର୍ବାନନ୍ଦ ପାଖ ଅଞ୍ଚଳର ଲଳିତା ନାମକ ମହିଳାଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ତିନୋଟି ଝିଅ ମହାଲକ୍ଷ୍ମୀ(୫), ସାତଭିକା(୩), ମଞ୍ଜୁଲା(୩) ଓ ଗୋଟିଏ ୭ ମାସର ପୁଅ ଥିଲା । ସ୍ତ୍ରୀ ଓ ପିଲାଙ୍କୁ ନେଇ ପରିବାର ବେଶ୍ ହସଖୁସିରେ ଚାଲୁଥିଲା । କିନ୍ତୁ ଏଇ ୧୦ ଦିନ ତଳେ କୌଣସି ମାମୁଲି କଥାକୁ ନେଇ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । ଯାହା କ୍ରମଶଃ ଉଗ୍ର ରୂପ ନେଇଥିଲା । ଶନିବାର ଦିନ ଲଳିତା ନିଜର ୪ ଛୁଆଙ୍କ ସହ ସ୍ଥାନୀୟ ବିଜେନପଲ୍ଲୀ ଥାନାରେ ପହଞ୍ଚି ସ୍ବାମୀ ବିରୋଧରେ ଏତଲା ଦେଇଥିଲେ । ହେଲେ ଥାନାରୁ ଫେରିବା ବାଟରେ ୭ ମାସର ପୁଅ ସହ ୪ ପିଲାଙ୍କୁ କେନାଲକୁ ଫିଙ୍ଗି ଦେଇଥିଲେ । ଏହାପରେ ନିଜେ ମଧ୍ୟ ପାଣିକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ।