ବେଙ୍ଗାଲୁରୁ:ବେଙ୍ଗାଲୁରୁ ସହରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ମହିଳାଙ୍କୁ ଉବେର ଡ୍ରାଇଭର ଆକ୍ରମଣ କରିଥିବାର ଖବର ମିଳିଛି । ମହିଳାଙ୍କ ଭୁଲ୍ ଏତିକି ଥିଲା ଯେ, ସେ ଭୁଲ୍ ଉବେର କ୍ୟାବରେ ବସିଥିଲେ । ଏହାକୁ କେନ୍ଦ୍ରକରି ଡ୍ରାଇଭର ତାଙ୍କୁ ମାରପିଟ୍ କରିଥିଲା । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଖବର ପ୍ରଘଟ ହେବା ପରେ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ।
ଘଟଣାଟି ଘଟିଛି ବେଲ୍ଲାନ୍ଦୁର ଥାନା ଅନ୍ତର୍ଗତ ଭୋଗନାହାଲ୍ଲି ଅଞ୍ଚଳରେ । ଗତକାଲି(ବୁଧବାର) ସକାଳେ ଜଣେ ମହିଳା ପୁଅକୁ ହସ୍ପିଟାଲ ନେବା ପାଇଁ ନିଜ ଆପାର୍ଟମେଣ୍ଟରୁ ଉବେର ଆପ୍ରେ କ୍ୟାବ୍ ବୁକ୍ କରିଥିଲେ । ତଳକୁ ଆସିବା ପରେ ଆପାର୍ଟମେଣ୍ଟ ବାହାରେ ଏକ ଉବେର କ୍ୟାବ୍ ଛିଡା ହୋଇଥିବାର ଦେଖି ସେଥିରେ ବସି ଯାଇଥିଲେ । ହେଲେ ଉକ୍ତ କ୍ୟାବ୍ ସେ ବୁକ୍ କରିଥିବା କ୍ୟାବ୍ ନଥିଲା । ଭୁଲବଶତଃ ତରବରିଆ ଭାବେ ମହିଳା ସେଥିରେ ବସି ଯାଇଥିଲେ । କିଛି ସମୟ ପରେ ମହିଳା ଏ କଥା ଜାଣି ପାରିଥିଲେ ଏବଂ ଗାଡିରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଡ୍ରାଇଭର ତାଙ୍କୁ ବିରୋଧ କରିଥିଲା ।