ଓଡିଶା

odisha

ETV Bharat / bharat

ଆସାମରେ କାହାକୁ ବାଛିବ ବିଜେପି, ସୋନୋୱାଲ ନା ହିମନ୍ତ ? - assam election

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଗୁରୁବାର ଦିନ ଶପଥ ନେଇ ସାରିଛନ୍ତି, ଏମ.କେ. ଷ୍ଟାଲିନ ଏବଂ ଏନ.ରଙ୍ଗାସ୍ବାମୀ ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମେ 20 ତାରିଖ ଦିନ ଶପଥ ନେବେ । ଅଧିକ ପଢନ୍ତୁ...

ଆସାମରେ କାହାକୁ ବାଛିବ ବିଜେପି
ଆସାମରେ କାହାକୁ ବାଛିବ ବିଜେପି

By

Published : May 9, 2021, 7:11 AM IST

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଗୁରୁବାର ଦିନ ଶପଥ ନେଇ ସାରିଛନ୍ତି, ଏମ.କେ. ଷ୍ଟାଲିନ ଏବଂ ଏନ.ରଙ୍ଗାସ୍ବାମୀ ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମେ 20 ତାରିଖ ଦିନ ଶପଥ ନେବେ ।

ଅନ୍ୟପକ୍ଷରେ ଆସାମରେ ବିଜେପିକୁ ଯଦିଓ ସ୍ପଷ୍ଟ ଜନାଦେଶ ମିଳିଛି ତଥାପି ଗୈରିକ ଦଳ ଆଗାମୀ ପାଞ୍ଚ ବର୍ଷ ପାଇଁ ରାଜ୍ୟରେ କିଏ ସରକାରର ନେତୃତ୍ବ ନେବେ ସେଥିପାଇଁ ଏଯାଏଁ ନେତା ନିର୍ବାଚନ ହୋଇପାରିନାହିଁ । ଶନିବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ବାସଭବନରେ ଅନେକ ଘଣ୍ଟା ଧରି ଏ ନେଇ ଆଲୋଚନା ହୋଇଥିବା ସତ୍ତ୍ବେ ଗୈରିକ ଦଳର ସଂସଦୀୟ ବୋର୍ଡ ଆସାମ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରି ପାରିନାହାଁନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତି ଆଣିବାରେ ବିଳମ୍ବ ଦୃଷ୍ଟିରୁ ଦଳ ଆଗରେ ନବନିର୍ବାଚିତ ବିଧାୟକ ଦଳ ନେତା ବାଛିବା କାଠିକର ପାଠ ହୋଇଥିବା ସୂଚନା ମିଳୁଛି । ସର୍ବାନନ୍ଦ ସୋନୋୱାଲ ନା ହିମନ୍ତ ବିଶ୍ବ ଶର୍ମା ? ଏହି ସଂକଟରୁ ଯାହା ଜଣାପଡୁଛି ବିଜେପି ବିଧାୟକମାନଙ୍କୁ ସେମାନଙ୍କ ନେତା ବାଛିବା ଦାୟିତ୍ବ ଛାଡ଼ି ଦିଆଯିବ ।

ସୋନୋୱାଲ ହେଉଛନ୍ତି ଜଣେ ବଡ଼ ନେତା ଯେ କି ଏକାକୀ 2016ରେ ଦଳକୁ ରାଜ୍ୟରେ କ୍ଷମତାକୁ ଆଣିଥିଲେ । ଏହା ପୂର୍ବରୁ ବିଜେପି କେବଳ ହିନ୍ଦୀ ଭାଷାଭାଷୀ କିମ୍ବା ଉତ୍ତର ଭାରତରେ ସୀମିତ ଦଳ ବୋଲି ଧାରଣା ରହି ଆସିଥିଲା । 2012ରେ ଆସାମରେ ବିଜେପିର ମଙ୍ଗ ଧରିଥିଲେ ଏବଂ ଏହାପରେ ସେ ତାଙ୍କର ଲୋକପ୍ରିୟତା ଏବଂ ବଳିଷ୍ଠ ନେତୃତ୍ବ ଯୋଗୁଁ ଦଳକୁ ଆସାମର ମୁଖ୍ୟ ସ୍ରୋତକୁ ଆଣିଥିଲେ । ତାଙ୍କର ଦୃଢ ନେତୃତ୍ବ ଯୋଗୁଁ ହିଁ ଦଳ 2014ରେ ରାଜ୍ୟର 14ଟି ଲୋକସଭା ଆସନ ମଧ୍ୟରୁ 7ଟି ଛଡାଇ ଆଣି ପାରିଥିଲା ।

ସୁପ୍ରିମ କୋର୍ଟରେ ବହୁପ୍ରସିଦ୍ଧ ବେଆଇନ ଅନୁପ୍ରବେଶ (ଟ୍ରିବୁନାଲ ଦ୍ବାରା ଚିହ୍ନଟ) ଆଇନ ରଦ୍ଦ କରିବାରେ ତାଙ୍କର ଭୂମିକା ପାଇଁ ସୋନୋୱାଲଙ୍କୁ ଆସାମରେ ଜାତୀୟ ନାୟକ ଭାବେ ବର୍ଣ୍ଣନା କରାଯାଏ । 2016 ବିଧାନସଭା ନିର୍ବାଚନରେ 126ଟି ବିଧାନସଭା ଆସନ ମଧ୍ୟରୁ 60ଟିରେ ଦଳକୁ ଜିତାଇ ସୋନୋୱାଲ ବିଜେପି ପାଇଁ ଜବରଦସ୍ତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସୀମିତ ଥିବା ବିଜେପିକୁ ରାଜ୍ୟରେ ବାହାର ଦଳ ବା ଆଉଟସାଇଡର ଭାବେ ବିବେଚନା କରାଯାଉଥିଲା, 2016 ପୂର୍ବରୁ ବିଜେପିର ଶକ୍ତି ଆସାମରେ ମୁଖ୍ୟତଃ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସୀମିତ ରହି ଆସୁଥିଲା । 2001ରେ ବିଜେପିର ଆସନ ସଂଖ୍ୟା ରାଜ୍ୟ ବିଧାନସଭାରେ ଥିଲା ମାତ୍ର 8, 2006 ବିଧାନସଭା ନିର୍ବାଚନରେ ଏହା 10କୁ ବୃଦ୍ଧି ପାଇଥିଲା ଏବଂ ପରେ 2011 ବିଧାନସଭା ନିର୍ବାଚନରେ ଦଳର ବିଧାୟକ ସଂଖ୍ୟା ମାତ୍ର 5କୁ ଖସି ଆସିଥିଲା ।

ସୋନୋୱାଲ ତାଙ୍କର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିଛନ୍ତି ଏବଂ ଦୁଇ ଦଶନ୍ଧିରୁ ଅଧିକ କାଳର ତାଙ୍କର ପୂରା ରାଜନୈତିକ ଜୀବନ ଭିତରେ ତାଙ୍କ ବିରୁଦ୍ଧରେ ଗୋଟିଏ ହେଲେ ଦୁର୍ନୀତି ଅଭିଯୋଗ ଆସିନାହିଁ । ଏଭଳି ନିର୍ମଳ ଛବି ଆସାମରେ ଅନ୍ୟ କୌଣସି ରାଜନେତା କିମ୍ବା ତାଙ୍କର ପ୍ରତିଦ୍ବିନ୍ଦ୍ବୀଙ୍କ ପାଖରେ ଦେଖିବାକୁ ମିଳିନାହିଁ । ରାଜ୍ୟର ସୋନୋୱାଲ କଚାରୀ ସଂପ୍ରଦାୟରୁ ଆସିଥିବା ଏବଂ ଛାତ୍ର ରାଜନୀତିରୁ ଉଠିଥିବା ସୋନୋୱାଲ 1992ରୁ 1999 ଯାଏଁ ଶକ୍ତିଶାଳୀ ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିଅନର ନେତୃତ୍ବ ମଧ୍ୟ ନେଇଥିଲେ ଏବ ଆଞ୍ଚଳିକ ସ୍ତରରେ ଜଣେ ନେତା ଥିଲେ । ସେ ମୋରାନରୁ ବିଧାନସଭାକୁ ଏବଂ ଦିବ୍ରୁଗଡ ଏବଂ ଲକ୍ଷ୍ମୀପୁର ଆସନରୁ ଲୋକସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ ।

ଅନ୍ୟପକ୍ଷରେ ହିମନ୍ତ୍ର ବିଶ୍ବ ଶର୍ମା ଆସାମରେ ଗୈରିକ ରାଜନୀତିକୁ ବିଳମ୍ବରେ ଆସିଛନ୍ତି । କଂଗ୍ରେସର ଏକ ଉଦୀୟମାନ ନେତା ଭାବେ ପରିଚିତ ଥିବା ହିମନ୍ତ ଦଳରେ ଚାଲିଥିବା ‘ପରିବାରବାଦ ରାଜନୀତି’ରେ ନିରାଶ ହୋଇ କଂଗ୍ରେସରୁ ମୁହଁ ମୋଡିବା ସହ 2015ରେ ଦେଶର ସର୍ବ ପୁରାତନ ଦଳ ଛାଡିଥିଲେ । 2016 ବିଧାନସଭା ନିର୍ବାଚନରେ ଯଦିଓ ସୋନୋୱାଲ ଆସାମରେ ବିଜେପିର ନେତୃତ୍ବ ନେଇଥିଲେ ହେଲେ ଦଳର ବିଜୟ ହାସଲରେ ହିମନ୍ତ ବିଶ୍ବ ଶର୍ମାଙ୍କ ଭୂମିକା ମଧ୍ୟ କିଛି କମ୍ ନଥିଲା । ଶର୍ମା କେବଳ ଯେ କଂଗ୍ରେସରେ ଥିବା ତାଙ୍କର ସମର୍ଥକମାନଙ୍କୁ ବିଜେପିକୁ ଆଣିଥିଲେ ତା ନୁହେଁ, ଏଥିସହିତ ସେ 2016 ବିଧାନସଭା ନିର୍ବାଚନରେ ରାଜ୍ୟର କୋଣ ଅନୁକୋଣ ବୁଲି ବୁଲି ଦଳ ପାଇଁ ପ୍ରଚାର କରିଥିଲେ ଏବଂ ଆସାମରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ।

2016 ପରେ ବିଜେପିରେ ଶର୍ମାଙ୍କ ପ୍ରଭାବ କ୍ରମଶଃ ବଢିବାକୁ ଲାଗିଲା ଏବଂ ସେ ଅନ୍ୟମାନଙ୍କ ଅପେକ୍ଷା ଅମିତ ଶାହଙ୍କର ସବୁଠାରୁ ଅଧିକ ବିଶ୍ବାସୀ ନେତା ଭାବେ ରାଜ୍ୟରେ କାମ କରିବାକୁ ଲାଗିଲେ । ଶର୍ମା ହିଁ ବିଜେପି ନେତୃତ୍ବାଧୀନ ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନସ (ଏନଇଡିଏ) ଆରମ୍ଭ କରିଥିଲେ । ଏହି ସଂଗଠନ ଜରିଆରେ ହିଁ ବିଜେପି 2016 ପରଠାରୁ ଅଧିକାଂଶ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବିଜୟୀ ହୋଇ ପାରିଛି । ଅରୁଣାଚଳ ପ୍ରଦେଶ ହେଉ କି ମଣିପୁର କିମ୍ବା ତ୍ରିପୁରା ଶର୍ମା ଉତ୍ତର ପୂର୍ବାଞ୍ଚଳ ସମୂହ ରାଜ୍ୟ ଗୁଡିକରେ ବାସ୍ତବରେ ପଦ୍ମ ଫୁଟାଇବାରେ ଶର୍ମାଙ୍କ ନେତୃତ୍ବ ଉଲ୍ଲେଖନୀୟ ଥିଲା । ଶର୍ମା ଯେତେବେଳେ 2019 ଲୋକସଭା ନିର୍ବାଚନ ବେଳେ ତେଜପୁର ଆସନରୁ ଲଢିବାକୁ ଆଗ୍ରହଣ ପ୍ରକାଶ କରିଥିଲେ ସେତେବେଳେ ଅମିତ ଶାହ ଏଥିରେ ହସ୍ତକ୍ଷେପ କରି ସମ୍ପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳରେ ବିଜେପିର ନିର୍ବାଚନ ପରିଚାଳନା କରିବା ପାଇଁ ତାଙ୍କର ସେବା ଆବଶ୍ୟକ ବୋଲି ତାଙ୍କୁ କହିଥିଲେ ।

ସ୍ବାସ୍ଥ୍ୟ ଓ ଅର୍ଥ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା ଶର୍ମା ଆସାମରେ କୋଭିଡ-19 ସ୍ଥିତି ମୁକାବିଲା କରିବାରେ ମଧ୍ୟ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟରେ ଭୂତାଣୁ ରୋକିବାରେ ସେ ଉଚିତ୍ କାର୍ଯ୍ୟ କରି ଆସାମକୁ ସାରା ଦେଶ ପାଇଁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିଥିଲେ । କୋଭିଡ-19ରେ ଯେଉଁମାନଙ୍କ ମୃତ୍ୟୁ ଘଟିଥିଲା ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଶର୍ମା ରାତି ଅଧରେ ମଧ୍ୟ ଶ୍ମଶାନ ଘାଟରେ ପହଞ୍ଚି ଯାଉଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ରାଜ୍ୟ ସାରା କୋଭିଡ କେୟାର ସେଣ୍ଟର ବୁଲି ବୁଲି ରୋଗୀ ସେବା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜ ସମୀକ୍ଷା କରୁଥିଲେ । ଏହାକୁ ନେଇ ସେ ବିଭିନ୍ନ ମହଲରେ ପ୍ରଶଂସିତ ହେବା ସହ ସାରା ଦେଶରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ବିଜେପିରେ ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ସେ ବେଶ୍ ଜଣାଶୁଣା ଏବଂ ଉଚ୍ଚ ପ୍ରଶଂସିତ । ଏଥର ଆସାମରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହିମନ୍ତ ବିଶ୍ବ ଶର୍ମା ନିଶ୍ଚିତ ଭାବେ ଜଣେ ପ୍ରତିଦ୍ବନ୍ଦ୍ବୀ ।

ଯଦିଓ, ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ନବ ନିର୍ବାଚିତ ଦଳୀୟ ବିଧାୟକଙ୍କ ଉପରେ ଛାଡ଼ି ଦେଇଛନ୍ତି ହେଲେ ଆସାମବାସୀ ଦେଖିବାକୁ ଅପେକ୍ଷା କରି ରହିଛନ୍ତି - ଦୁଇ ନେତାଙ୍କ ମଧ୍ୟରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ରାଜ୍ୟର ନେତୃତ୍ବ ନେବାକୁ କାହା ସପକ୍ଷରେ କେତେ ବିଧାୟକଙ୍କ ସମର୍ଥନ ରହିଛି ।

ଅନୁପ ଶର୍ମା

ABOUT THE AUTHOR

...view details