ହାଇଦ୍ରାବାଦ: କୋରୋନାର ଦ୍ବିତୀୟ ଲହରୀ ଦେଶବ୍ୟାପୀ ବିନାଶ ଘଟାଇ ଚାଲିଛି । ପ୍ରତି 24 ଘଣ୍ଟାରେ ନୂଆ ମାମଲା ଓ ମୃତ୍ୟୁ ନେଇ ପ୍ରକାଶିତ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ କରି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 2 ଲକ୍ଷ 17 ହଜାର 353ଟି ନୂଆ କୋରୋନା ଭାଇରସ ମାମଲା ଚିହ୍ନଟ ହୋଇଛି । ଏହି ସମୟରେ କୋରୋନାରେ 1185 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପ୍ରତିଦିନ କୋରୋନାରେ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି, କିନ୍ତୁ ଦୈନିକ କୋରୋନା ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମୃତ୍ୟୁସଂଖ୍ୟାକୁ ନେଇ ବର୍ତ୍ତମାନ ବିବାଦ ଲାଗି ରହିଥିବା ବେଳେ ଇଟିଭି ଭାରତ ଗ୍ରାଉଣ୍ଡ ରିପୋର୍ଟକୁ ଆଧାର କରି ତିନିଟି ବଡ଼ ପ୍ରଶ୍ନ ଉଠାଇଛି । ଏସବୁ ପ୍ରଶ୍ନ ପଚାରିବା ପୂର୍ବରୁ ଆମେ ପ୍ରଥମେ ତିନିଟି ରାଜ୍ୟରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଏବଂ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ହେଉଥିବା ସଂଖ୍ୟା ମଧ୍ୟରେ ରହୁଥିବା ପ୍ରଭେଦକୁ ଦେଖାଉଛୁ ଯାହାକି କୋରୋନାରେ ସରକାରୀ ମୃତ୍ୟୁସଂଖ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରୁଛି ।
ମଧ୍ୟପ୍ରଦେଶ
ଗତ 24 ଘଣ୍ଟା ମଧ୍ୟରେ ମଧ୍ୟ ପ୍ରଦେଶରେ 10 ହଜାର 166 ମାମଲା ଚିହ୍ନଟ ହୋଇଥିଲା ଏବଂ 53 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ହାରାହାରୀ ରାଜ୍ୟରେ କୋରୋନା ରୋଗୀ ସମାନ ସଂଖ୍ୟାରେ ବାହାରୁଛନ୍ତି, କିନ୍ତୁ ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠୁଛି । ଯଦି ସରକାରୀ ତଥ୍ୟ ଅନୁଯାୟୀ ଆମେ ମଧ୍ୟପ୍ରଦେଶର ଏପ୍ରିଲ 12 ତାରିଖ ସଂଖ୍ୟାକୁ ଦେଖିବା ତେବେ ସେହି ଦିନ ସାରା ରାଜ୍ୟରେ କୋରୋନାରେ 47 ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା, ହେଲେ ସେହି ଦିନ ଭୋପାଳରେ ଥିବା ଶ୍ମଶାନରେ 58ଟି ମୃତ ଦେହର ସଂସ୍କାର କରାଯାଇଥିଲା । ସେହିପରି ଛିଣ୍ଡୱାରାରେ 37 ଜଣରୁ ଅଧିକ ମୃତଦେହ ସଂସ୍କାର କରାଯାଇଥିଲା। ଏହିପରି ଭାହେ ଭୋପାଳ ଏବଂ ଛିନ୍ଦୱାରାରେ କେବଳ 74ଟି ମୃତ ଦେହ ଦାହ ସଂସ୍କାର କରାଯାଇଥିଲା ଯାହାକି ସେହିଦିନ ରାଜ୍ୟରେ କୋରୋନାରେ ମୃତ୍ୟୁସଂଖ୍ୟା ସରକାରୀ ଭାବେ ଯାହା କୁହାଯାଇଥିଲା ତାହାଠାରୁ ଅଧିକ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେ କେବଳ ଦୁଇଟି ସ୍ଥାନରୁ ଶବ ସଂସ୍କାର ସଂଖ୍ୟା ଦେଇଛୁ ।
ଦିଲ୍ଲୀ
କୋରୋନା ସଂକ୍ରମଣ ଦେଶର ରାଜଧାନୀ ଦିଲ୍ଲୀରେ ନାକେଦମ୍ କରି ସାରିଲାଣି । ଗତ 24 ଘଣ୍ଟା ଭିତରେ ଦେଶର ରାଜଧାନୀରୁ 16,699 ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ 112 ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏ ଯାଏଁ ଦିଲ୍ଲୀରେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ହେଉଛି 54,309 । ଦିଲ୍ଲୀରେ ମଧ୍ୟ କୋଭିଡ-19ରେ ସରକାରୀ ମୃତ୍ୟୁସଂଖ୍ୟା ଏବଂ ଶବ ସଂସ୍କାର ତାଲିକାରେ ରହୁଥିବା ପ୍ରଭେଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପଣ ଯଦି ଦିଲ୍ଲୀରେ ଏପ୍ରିଲ 12 ତାରିଖର ସଂଖ୍ୟାକୁ ଦେଖିବା, ସେଦିନ ଦିଲ୍ଲୀର ସାଉଥ୍ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧିନରେ ଥିବା ଶ୍ମଶାନ ଘାଟରେ 43 ମୃତଦେହ ଏବଂ ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧିନରେ ଥିବା ଶ୍ମଶାନ ଘାଟରେ 40 ମୃତଦେହ ସଂସ୍କାର କରାଯାଇଥିଲା । ହେଲେ ସରକାରୀ ତଥ୍ୟ ମୁତାବକ ଏପ୍ରିଲ 12 ତାରିଖ ଦିନ କୋରୋନାରେ 72 ଜଣ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ଘଟିଥିଲା ।
ଛତିଶଗଡ଼
ଛତିଶଗଡ଼ରେ ମଧ୍ୟ ଗତ 24 ଘଣ୍ଟା ମଧ୍ୟରେ 15 ହଜାର 256ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏହି 24 ଘଣ୍ଟା ମଧ୍ୟରେ ମୋଟ 105 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏବଂ ଦିଲ୍ଲୀ ଓ ମଧ୍ୟପ୍ରଦେଶ ପରି ଛତିଶଗଡ଼ରେ ମଧ୍ୟ କୋଭିଡ-19ରେ ସରକାରୀ ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଯାଇଛି ।
ଛତିଶଗଡ଼ର ଦୁର୍ଗ ସହରରେ କୋରୋନା ସଂକ୍ରମଣ ଯେଉଁଭଳି ଭାବେ ବ୍ୟାପୁଛି ତାହା ସମସ୍ତଙ୍କୁ ଭୟଭୀତ କରିଦେଇଛି । ରାଜ୍ୟ ସରକାର ଦୁର୍ଗ ସହରରେ କଟକଣା ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି । ଆପଣ ଯଦି ଏପ୍ରିଲ 13 ତାରିଖର ସଂଖ୍ୟାକୁ ଦେଖିବେ ସେଦିନ ଦୁର୍ଗରେ ମୋଟ 61ଟି ମୃତଦେହ ସଂସ୍କାର କରାଯାଇଥିଲା । କିନ୍ତୁ ସରକାରୀ ରିପୋର୍ଟ ଅନୁଯାୟୀ ଏପ୍ରିଲ 13 ତାରିଖରେ ସାରା ଛତିଶଗଡ଼ରେ ମୋଟ 73 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।