କାଠମାଣ୍ଡୁ: ଚୀନ୍ ଉପହାର ଭାବେ ନେପାଳକୁ ଦେଇଥିବା ସିନୋଫାର୍ମ ପ୍ରସ୍ତୁତ 8 ଲକ୍ଷ କୋଭିଡ ଟିକା କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ନେପାଳରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ହାଓ ୟାନକୀ ବେଶ୍ ଉତଫୁଲ୍ଲିତ ଦେଖାଯାଉଥିଲେ । ଅସୁରକ୍ଷିତ ଅବସ୍ଥାରେ ଥିବା ନେପାଳ ନାଗରିକଙ୍କ ପାଇଁ କୋଭିଡ ଟିକାର ଅତି ଜରୁରୀ ଆବଶ୍ୟକତା ଥିବା ବେଳେ ଏହା ନେପାଳକୁ ଅଧିକ ପରିମାଣରେ ସିନୋଫାର୍ମ ଟିକା ଯୋଗାଇ ଦେବା ଲାଗି ପଥ ପରିଷ୍କାର କରି ଦେଇଛି ।
ବହୁ ମୂଲ୍ୟବାନ କୋଭିଡ ଟିକା ନେଇ ବେଜିଂରୁ ବାହାରିଥିବା ନେପାଳ ଏୟାରଲାଇନସର ଜେଟ୍ ବିମାନ ପହଞ୍ଚିବା କ୍ଷଣି ରାଷ୍ଟ୍ରଦୂତ ହାଓ ୟାନକୀ ଏହାକୁ ଗ୍ରହଣ କରିବା ପାଇଁ କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଥିଲେ । ହସ ହସ ମୁହଁରେ ସେ ନେପାଳ ସ୍ବାସ୍ଥ୍ୟ ମନ୍ତ୍ରୀ ହ୍ରିଦୟେଶ ତ୍ରିପାଠିଙ୍କୁ ଟିକା ହସ୍ତାନ୍ତର କରିଥିଲେ ଏବଂ ଚୀନରୁ ସହାୟତା ସବୁବେଳେ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ।
ନେପାଳ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଭାରତ ଏବଂ ଚୀନ୍ ସେମାନଙ୍କର ଟିକା କୂଟନୀତି (ଭ୍ୟାକ୍ସିନ ଡିପ୍ଲୋମାସୀ) ଆରମ୍ଭ କରି ଦେଇଛନ୍ତି । ନେପାଳରେ ବର୍ଷକ ମଧ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ 3 କୋଟି ଲୋକଙ୍କୁ କୋଭିଡ୍ ଟିକା ଦେବା ପାଇଁ କେ.ପି.ଓଲି ସରକାର ଏକ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି ।
ନେପାଳ-ଭାରତ ପ୍ରତିରକ୍ଷା ସହଯୋଗ ପ୍ୟାାକେଜର ଅଂଶ ଭାବେ ପୂର୍ବରୁ ଏହି ସପ୍ତାହରେ ନେପାଳ ଭାରତରୁ ଏକ ଲକ୍ଷ କୋଭିଡ ଟିକା ପାଇ ସାରିଛି । ଚୀନ୍ ଟିକା ପହଞ୍ଚିବାର ବହୁ ପୂର୍ବରୁ ଭାରତ ଗତ ଜାନୁଆରୀ ମାସରେ କାଠମାଣ୍ଡୁକୁ 10 ଲକ୍ଷ କୋଭିସିଲଡ ଟିକା ଉପହାର ଦେଇ ଟିକା କୂଟନୀତି ଆରମ୍ଭ କରି ସାରିଛି ।
ଏହାପରେ ବିଶ୍ବ ସ୍ବାସ୍ଯ୍ୟ ସଂଗଠନ ନେତୃତ୍ବରେ ଚାଲିଥିବା ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କୋଭାକ୍ସ ଅଧୀନରେ ନେପାଳ ଅଧିକ ସଂଖ୍ୟକ କୋଭିଡ ଟିକା ପାଇଛି ଏବଂ ଭାରତର ସେରମ ପ୍ରତିଷ୍ଠାନଠାରୁ 20 ଲକ୍ଷ କୋଭିସିଲଡ ଟିକା ପାଇଁ ଅର୍ଡର ମଧ୍ୟ କରିଛି । ସେରମ ଇନିଷ୍ଟିଚ୍ୟୁଟ୍ ସହ ନେପାଳର ଦୀର୍ଘ ଦିନର ସମ୍ପର୍କ ରହିଛି ।
ନେପାଳ ତା’ର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରିବା ପୂର୍ବରୁ ଭାରତର ସେରମ୍ ଇନିଷ୍ଟିଚ୍ୟୁଟ୍ ଠାରୁ ଅଧିକ ସଂଖ୍ୟକ କୋଭିସିଲଡ ଟିକା ପାଇବା ଅପେକ୍ଷାରେ ରହିଛି । ଏହି ଅନୁଷ୍ଠାନ ବିଶ୍ବର ଅନେକ ଦେଶକୁ ଟିକା ଯୋଗାଇବାକୁ ଅର୍ଡର ପାଇଥିବାରୁ ଏହା ଉପରେ ଏବେ ଅଧିକ ଭାରାକ୍ରାନ୍ତ ରହିଛି । ଏଯାଏଁ ନେପାଳରେ 17 ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି ଏବଂ ବର୍ଷକ ମଧ୍ୟରେ 2 କୋଟିରୁ 3 କୋଟି ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ରଖିଛି ।