ଓଡିଶା

odisha

ETV Bharat / bharat

Satish Maneshinde: ଲଢୁଛନ୍ତି ଆର୍ୟନ ଖାନ୍‌ଙ୍କ କେସ, ସଲମାନ-ସଞ୍ଜୟ ଦତ୍ତଙ୍କ ସଙ୍କଟମୋଚକ - ଜାଣନ୍ତୁ କିଏ ଆର୍ୟନ ଖାନ୍‌ଙ୍କ ଆଡଭୋକେଟ

ହାଇପ୍ରୋଫାଇଲ ଆଡଭୋକେଟ ସତୀଶ ମାନସିନ୍ଦେ । ଲଢିଥିଲେ ସୁପରଷ୍ଟାର ସଲମାନ ଖାନଙ୍କ ସହ ମୁନ୍ନାଭାଇଙ୍କ କେସ । ଡ୍ରଗ୍ସ ଓ ସୁଶାନ୍ତ ସିଂହଙ୍କ କେସରୁ ରିୟା ଚକ୍ରବର୍ତ୍ତୀଙ୍କୁ ବଞ୍ଚାଇଥିଲେ । କୋର୍ଟରୁ NCB କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଆଡେ ତାଙ୍କରି ଚର୍ଚ୍ଚା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କେସ ଲଢୁଛନ୍ତି ସତୀଶ ମାନସିନ୍ଦେ । ଚର୍ଚ୍ଚାରେ ତାଙ୍କର ୧୦ ଲକ୍ଷ ଫିସ । ତେବେ କିଏ ଏହି ସତୀଶ ମାନସିନ୍ଦେ । ବଲିଉଡରେ ଲଢିଛନ୍ତି କେଉଁ କେଉଁ କେସ, ନଜର ପକାନ୍ତୁ ଏହି ରିପୋର୍ଟ ଉପରେ...

Satish Maneshinde: ଲଢୁଛନ୍ତି ଆର୍ୟନ ଖାନ୍‌ଙ୍କ କେସ, ସଲମାନ-ସଞ୍ଜୟ ଦତ୍ତଙ୍କ ସଙ୍କଟମୋଚକ
Satish Maneshinde: ଲଢୁଛନ୍ତି ଆର୍ୟନ ଖାନ୍‌ଙ୍କ କେସ, ସଲମାନ-ସଞ୍ଜୟ ଦତ୍ତଙ୍କ ସଙ୍କଟମୋଚକ

By

Published : Oct 7, 2021, 7:01 AM IST

ମୁମ୍ବାଇ:ଯେମିତି ଜଣେ ଡାକ୍ତର ତାର ଚିକିତ୍ସା ପାଇଁ ଜଣାଯାଇଥାଏ, ଠିକ୍ ସେହିପରି ଜଣେ ଓକିଲ ତାର କେସ ଲଢିବା ଷ୍ଟାଇଲରୁ ହିଁ ଜଣାଯାଇଥାଏ । କାରଣ ଜଣେ ଓକିଲ ଉପରେ ହିଁ ଜଣେ ଦୋଷୀ ବା ଅଭିଯୁକ୍ତର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ । ସେ କିପରି ଭାବେ ଦୋଷୀକୁ ବଞ୍ଚାଇବ, ନା ଜେଲକୁ ପଠାଇବ, ତାହା କେବଳ ଜଣେ ସଚ୍ଚୋଟ ଓକିଲ ଉପରେ ହିଁ ନିର୍ଭର କରିଥାଏ । ସେମିତି ଜଣେ ଓକିଲଙ୍କ ବିଷୟରେ ଆମେ ଆଜି ଜଣାଇବୁ । ସେ ହେଉଛନ୍ତି ଦେଶର ହାଇପ୍ରୋଫାଇଲ ଆଡଭୋକେଟ ସତୀଶ ମାନସିନ୍ଦେ(Satish Maneshinde) । ତାଙ୍କ ନାଁ ହିଁ ଏହା ପ୍ରମାଣ କରିଦିଏ ଯେ, ସେ କେତେ ହାଇପ୍ରୋଫାଇଲ ।

କେବଳ ମୁମ୍ବାଇ କାହିଁକି, ପୁରା ଦେଶରେ ତାଙ୍କରି ଚର୍ଚ୍ଚା । କିଏ ଏହି ଆଡଭୋକେଟ ସତୀଶ ମାନସିନ୍ଦେ । ଯାହାଙ୍କୁ ଦେଖିଲେ ଅପରାଧୀ ଭୟ କରିଯାଇଥାଏ । କେବଳ ଅପରାଧୀ କାହିଁକି, ବିପକ୍ଷରେ ଲଢୁଥିବା ଓକିଲ ମଧ୍ୟ ଛାନିଆ ହୋଇଯାଇଥାଏ । କୋର୍ଟରେ ପଶିଲାମାତ୍ରେ ହିଁ ତାଙ୍କରି କଥା, ତାଙ୍କରି ଚର୍ଚ୍ଚା । ନେତା ଠାରୁ ଅଭିନେତା, ଯାହାଙ୍କୁ ମାନନ୍ତି । ବଲିଉଡର ଅର୍ଦ୍ଧାଧିକ କେସ ଲଢିଛନ୍ତି ସେ । ବହୁ କଠିନ କଠିନ କେସରେ ବାଜିମାତ କରିଥିବାରୁ ବଲିଉଡର ଆଗଧାଡିର ଅଭିନେତା-ଅଭିନେତ୍ରୀଙ୍କ ଆଶା ଓ ବିଶ୍ବାସ ତାଙ୍କ ପ୍ରତି ବଢିବାରେ ଲାଗିଛି ।

୫୬ ବର୍ଷୀୟ ବରିଷ୍ଠ ଓକିଲ ସତୀଶ ମାନସିନ୍ଦେ କେବଳ ହାଇପ୍ରୋଫାଇଲ କ୍ରିମିନାଲ କେସ ପାଇଁ ହିଁ ଜଣାଯାଆନ୍ତି । ସେଥିପାଇଁ ତ ଶାହାରୁଖ ଖାନ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାକୁ ଭିତ୍ତି କରି କେସ ଲଢିବା ପାଇଁ ଜଣାଶୁଣା ଓକିଲ ସତୀଶଙ୍କୁ ହିଁ ବାଛିଛନ୍ତି । ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଆର୍ୟନ ଖାନଙ୍କ ଉପରେ ଲଗାଯାଇଥିବା ଆରୋପକୁ ମିଛ ସାବ୍ୟସ୍ତ କରିବେ ସତୀଶ । ଯେତେ ବଡ କେସ ହେଲେ ମଧ୍ୟ ସେ ଲଢିଥାଆନ୍ତି । ରିୟା ଚକ୍ରବର୍ତ୍ତୀ ପରି ବିଭିନ୍ନ କଣ୍ଟ୍ରୋର୍ଭୋସି କେସ ଲଢି ସେ ପପୁଲାର ହୋଇପାରିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଥିଲେ ସତୀଶ:

ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ(Rhea Chakraborty) ଓ ତାଙ୍କ ଭାଇ ସୌଭିକଙ୍କ କେସ ଲଢୁଥିଲେ ଲୋକପ୍ରିୟ ଆଡଭୋକେଟ ସତୀଶ । ଉଭୟଙ୍କୁ ସୁଶାନ୍ତ ସିଂହ ରାଜପୁତ(Sushant Singh Rajput) ମୃତ୍ୟୁ ପରେ ଗିରଫ କରାଯାଇଥିଲା । ବର୍ତ୍ତମାନ ରିୟା ଓ ସୌଭିକଙ୍କୁ ଅଦାଲତ ଜାମିନ ପ୍ରଦାନ କରିସାରିଛି । ସେହି ସମୟରେ ସତୀଶ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ଯେତେ ଥର ଗଣମାଧ୍ୟମରେ ହଇଚଇ ସୃଷ୍ଟି କରୁଥିଲା, ସେତେ ଥର ସତୀଶଙ୍କ ନାଁ ଲୋକଲୋଚନକୁ ଆସୁଥିଲା । ଶୁଣିବାକୁ ମିଳେ ଯେ, ଏଥିପାଇଁ ରିୟା ତାଙ୍କୁ ମୋଟା ଅଙ୍କର ଫି' ମଧ୍ୟ ଦେଇଥିଲେ । ଏହା ବ୍ୟତୀତ ସେ ପାଲଘର ଲିଞ୍ଚିଂ ମାମଲାରେ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ମଧ୍ୟ ଅଛନ୍ତି ।

ସଞ୍ଜୟ ଦତ୍ତଙ୍କୁ ଦେଇଥିଲେ ଜାମିନ:

1993ରେ ହୋଇଥିବା ବିସ୍ଫୋରଣ ମାମଲାରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ(Sanjay Dutt)ଙ୍କ କେସ ମଧ୍ୟ ଲଢିସାରିଛନ୍ତି ସତୀଶ । ସଞ୍ଜୟ ଦତ୍ତଙ୍କୁ ଜାମିନ ଦେବାରେ ସତୀଶଙ୍କର ବଡ ଭୂମିକା ରହିଛି । ଯେବେ କି ସେହି ସମୟରେ ସଞ୍ଜୟ ବହୁତ ବଡ ଅଭିଯୋଗରେ ଫସି ଯାଇଥିଲେ । କିନ୍ତୁ ତାଙ୍କୁ ଏଥିରୁ ସତୀଶ ହିଁ ବାହାର କରିପାରିଥିଲେ । ସେବେ ଠାରୁ ହାଇପ୍ରୋଫାଇଲ କେସମାନଙ୍କରେ ଦେଶର ବଡ ବଡ କ୍ରିମିନାଲ ଲୟର୍ସଙ୍କ ମଧ୍ୟରେ ମାନସିନ୍ଦେ ଗଣାଯାଆନ୍ତି ।

ସଲମାନଙ୍କ କେସ ପରେ ବଢିଥିଲା ଲୋକପ୍ରିୟତା:

୨୦୦୨ରେ ହିଟ୍ ଆଣ୍ଡ ରନ୍ କେସରେ ସୁପରଷ୍ଟାର ସଲମାନ ଖାନ (Salman Khan) ଫସିଯାଇଥିଲେ । ଏଥିରୁ ତାଙ୍କୁ ସତୀଶ ମାନସିନ୍ଦେ ହିଁ ଜାମିନ ପ୍ରଦାନ କରିଥିଲେ । ଏହାପରେ ତାଙ୍କୁ ସମସ୍ତେ ହାଇପ୍ରୋଫାଇଲ ଆଡଭୋକେଟ ଭାବେ ଜାଣନ୍ତି ।

ରାକ୍ଷୀ ସାୱନ୍ତଙ୍କ ପାଇଁ ସାଜିଥିଲେ ସଙ୍କଟମୋଚକ:

ସତୀଶ ମାନସିନ୍ଦେ ରାକ୍ଷୀ ସାୱନ୍ତ(Rakhi Sawant)ଙ୍କୁ ମଧ୍ୟ ବଡ ସଙ୍କଟରୁ ଉଦ୍ଧାର କରିଥିଲେ । ୨୦୧୦ରେ ଯେବେ ରାକ୍ଷୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ମାମଲା ଦାୟର ହୋଇଥିଲା । ଏହି କେସ ସତୀଶ ହିଁ ଲଢିଥିଲେ ।

୧୦ ଲକ୍ଷ ଫି' ବାବଦରେ କ'ଣ କୁହନ୍ତି ସତୀଶ:

ମିଡିଆ ରିପୋର୍ଟ ଅନୁସାରେ, ସତୀଶ ଗୋଟିଏ କେସ ପାଇଁ ଗୋଟିଏ ଦିନକୁ ୧୦ ଲକ୍ଷ ଟଙ୍କା ନେଇଥାଆନ୍ତି । ରିୟା ଚକ୍ରବର୍ତ୍ତୀ ଯେତେବେଳେ ଏତେ ଫି' ନେଉଥିବା ଓକିଲ ହାୟର କରିଥିଲେ, ସେତେବେଳେ କଥା ଉଠିଥିଲା ଯେ, ସେ ଏତେ ଟଙ୍କା କୁଆଡୁ ଆଣୁଛନ୍ତି । ସେତେବେଳେ ସତୀଶ ଏ ବାବଦରେ ମୁହଁ ଖୋଲିଥିଲେ ଓ କହିଥିଲେ ଯେ, 'ଯେଉଁ ଆଧାରରେ ମୋ ଉପରେ ଏହି ଅଭିଯୋଗ ଲାଗୁଛି ଯେ, ମୁଁ ୧୦ ଲକ୍ଷ ଟଙ୍କା ଫି' ନେଉଛି, ତାହା ୧୦ ବର୍ଷ ତଳର ପୁରୁଣା କଥା । ଯଦି ସେମିତି ଦେଖାଯାଏ, ତ ଏବେ ମୋର ଫି' ବହୁତ ଅଧିକା ହୋଇଥିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ମୋ କ୍ଲାଇଣ୍ଟ୍ସ(clients)ଙ୍କ ଠାରୁ କେସ ବାବଦରେ ଯେତେ ବି ଟଙ୍କା ନେଲେ ମଧ୍ୟ କାହାର କିଛି ମତଲବ ନାହିଁ । ଏହା ମୋର ବ୍ୟକ୍ତିଗତ ବ୍ୟାପାର' ।

କର୍ଣ୍ଣାଟକ ନିବାସୀ ସତୀଶ:

କର୍ଣ୍ଣାଟକସ୍ଥିତ ଧାରବାଡ ନିବାସୀ ହେଉଛନ୍ତି ସତୀଶ । ଆଇନ ପାଠପଢା ସମ୍ପୂର୍ଣ୍ଣ କରିସାରିବା ପରେ ସେ ମୁମ୍ବାଇ ଯାଇଥିଲେ ।

ଏମିତି କରିଥିଲେ ନିଜ କ୍ୟାରିୟରର ଆରମ୍ଭ:

ମାନସିନ୍ଦେ ୧୯୮୩ ମସିହାରେ ଦେଶର ଟପ୍ କ୍ରିମିନାଲ ଲୟର୍ସଙ୍କ ମଧ୍ୟରେ ସାମିଲ ଥିବା ଦିବଙ୍ଗତ ରାମ ଜେଠମଲାନୀ(Ram Jethmalani)ଙ୍କ ନେତୃତ୍ବରେ ଜୁନିୟର ଓକିଲ ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଜେଠମଲାନୀଙ୍କ ସହ ପ୍ରାୟତଃ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ଏହି ସମୟରେ ସେ ସିଭିଲ ଓ କ୍ରିମିନାଲ ଲ' ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ବଡ ବଡ କେସ ଲଢି ଚାଲିଲେ । ନେତାଙ୍କ ଠାରୁ ବଲିଉଡ ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କେସ ଲଢି ଜିତିଲେ ସତୀଶ । ଆଉ ଆଜି ମାନସିନ୍ଦେ ଦେଶର ବଡ ବଡିଆ ଓକିଲଙ୍କ ମଧ୍ୟରେ ଜଣାଯାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details