ଓ୍ବାଶିଂଟନ:ଲୋକପ୍ରିୟ ବୈଶ୍ବିକ ସୋସିଆଲ ମଡିଆ ଆପ ହ୍ବାଟ୍ସଆପ (WhatsApp) ଆଣିବାକୁ ଯାଉଛି ନୂଆ ଫିଚର । ନୂଆ ଫିଚର ଅନୁସାରେ, ଗ୍ରୁପ ଉପରେ ପୂର୍ବାପେକ୍ଷା ଅଧିକ ନିୟନ୍ତ୍ରଣ କ୍ଷମତା ପାଇବେ ଆଡମିନ । ସମ୍ପୃକ୍ତ ଆଡମିନ ଗ୍ରୁପର ଯେକୌଣି ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ (Delete Messages for Everyone) କରିପାରିବେ । ଗୁଗୁଲ ପ୍ଲେ ବେଟା ପ୍ରୋଗ୍ରାମକୁ ଅପଡେଟ କରି ସଂସ୍ଥା ନୂଆ ଫିଚରକୁ କାର୍ଯ୍ୟକ୍ଷମ କରିବାକୁ ଯାଉଛି ।
ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଗଣ ଯୋଗାଯୋଗର ଲୋକପ୍ରିୟ ମାଧ୍ୟମ ଭାବେ ବହୁଳ ବ୍ୟବହାର ହେବାରେ ଲାଗିଛି ହ୍ବାଟ୍ସଆପ୍ । ଏଥିରେ ଗ୍ରୁପ କ୍ରିଏଟ କରି ବିଭିନ୍ନ କାର୍ଯ୍ୟ ପାଇଁ ଏହାକୁ ପ୍ରଭାବୀ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ତେବେ ପୂର୍ବରୁ ଗ୍ରୁପର ଆଡମିନଙ୍କ ନିକଟରେ ସୀମିତ କ୍ଷମତା ରହୁଥିଲା । ସଦସ୍ୟଙ୍କୁ ଗ୍ରୁପରୁ ବାହାର କରିବା କିମ୍ବା ନୂତନ ସଦସ୍ୟଙ୍କୁ ଗ୍ରୁପରେ ସାମିଲ କରିବା ଓ ଗ୍ରୁପରେ କିଏ ବାର୍ତ୍ତା ପୋଷ୍ଟ କରିପାରିବ ସେନେଇ ଆଡମିନ ନିଷ୍ପତ୍ତି କରି ପାରୁଥିଲେ ।