ଚଣ୍ଡିଗଡ:ପ୍ରତି ଘଣ୍ଟାରେ କଡ ଲେଉଟାଉଛି ପଞ୍ଜାବ ରାଜନୀତି । କଂଗ୍ରେସ ରାଜନୀତି ସୂତା ଆହୁରି ଅଡୁଆ ହେବାରେ ଲାଗିଛି । ବୁଧବାର କ୍ୟାପ୍ଟେନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏବେ ପଞ୍ଜାବ ରାଜନୀତିରେ ବଡ ଭୂମିକମ୍ପ ସୃଷ୍ଟି ହୋଇଛି । ଦିଲ୍ଲୀ ଗସ୍ତରୁ ଫେରି ଚଣ୍ଡିଗଡରେ ପହଁଞ୍ଚିଥିବା କ୍ୟାପ୍ଟେନ ଅମରିନ୍ଦର ସିଂ କଂଗ୍ରେସ ଛାଡିବାକୁ ଦେଇଛନ୍ତି ବଡ ବୟାନ । ଏବେ ଆଉ କଂଗ୍ରେର ଅଂଶ ହୋଇ ରହିନଥିବା କହିଛନ୍ତି ଅମରିନ୍ଦର । ତେବେ ବିଜେପିରେ ଯୋଗ ଦେବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗିରହିଥିଲା ଏହା ଉପରେ ମଧ୍ୟ କ୍ୟାପ୍ଚେନ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେପିରେ ଯୋଗ ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରି କହିଛନ୍ତି ।
ନିଜ ବୟାନରେ କ୍ୟାପ୍ଟେନ ଅମରିନ୍ଦର ସିଂ କହିଛନ୍ତି, ସିଦ୍ଧୁ ପଞ୍ଜାବ ପାଇଁ ସଠିକ ବ୍ୟକ୍ତି ନୁହଁନ୍ତି । ସିଦ୍ଧଙ୍କୁ କେବେ ଜିତିବାକୁ ଦେବେ ନାହିଁ ବୋଲି ଜୋର ଦେଇ କହିଛନ୍ତି ଅମରିନ୍ଦର । ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ କଂଗ୍ରେସ ଛାଡିବାକୁୁ ସଙ୍କେତ ଦେଇ ଦେଇଥିଲେ କ୍ୟାପ୍ଟେନ । ସେପଟେ ଅସନ୍ତୁଷ୍ଟ ନବଜୋତ ସିଂ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବାର କଥା କହିଛନ୍ତି । ବୁଧବାର ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ । ଏଭଳିସ୍ଥିତିରେ ଆଗାକୁ ପଞ୍ଜାବ ରାଜନୀତିରେ ଭବିଷ୍ୟତ କଣ ହେବ ? ବାଜି ପଲଟିବ ନା କଂଗ୍ରେସକୁ ପଶ୍ଚାତାପ କରିବାକୁ ପଡିବ, ଏହା ଉପରେ ସମସ୍ତଙ୍କର ନଜର ରହିଛି ।