ଗୌହାଟୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ନନ୍ଦିଗ୍ରାମ ଆସନ ମମତା ଦିଦି ହାରୁଛନ୍ତି । ଏଥିପାଇଁ ସେ ଆଉ ଏକ ଆସନରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା ନଡ୍ଡା କହିଛନ୍ତି ।
ଗୌହାଟୀରେ ନିର୍ବାଚନ ପ୍ରଚାରରେ ଯାଇଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ' ସେମାନେ ଭଲ ଭାବରେ ଅବଗତ ଅଛନ୍ତି ନନ୍ଦିଗ୍ରାମ ଆସନ ହରାଇବାକୁ ଯାଉଛନ୍ତି । ତେଣୁ କୌଶଳ କରି ଏକ ନୂତନ ଆସନ ଖୋଜୁଛନ୍ତି । ଏ ବିଷୟରେ ତାଙ୍କ ନିଜ ଲୋକ ହିଁ ଆମକୁ ସୂଚନା ଦେଇଛନ୍ତି । ତଥାପି ମୁଁ ଏହା ବିଷୟରେ ଗ୍ୟାରେଣ୍ଟି ନେଇପାରିବି ନାହିଁ କାରଣ ସେମାନେ ଏହା ଜାଣିଛନ୍ତି ସେମାନେ ନନ୍ଦିଗ୍ରାମ ହରାଉଛନ୍ତି, ଏହା ନିଶ୍ଚିତ ଅଟେ।
ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଛନ୍ତି ତୃଣମୂଳରୁ ବିଦ୍ରୋହ କରି ବିଜେପିରୁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀ । ସେ ସିଏମ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ଗତ ଡିସେମ୍ବରେ ସେ ତୃଣମୂଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ସେପଟେ ମମତା ଦିଦି ନିଜ ଆସନ ଭବାନୀପୁରକୁ ଛାଡି ନନ୍ଦିଗ୍ରାମରେ ଶୁଭେନ୍ଦୁକୁ ଟକ୍କର ଦେବା ପାଇଁ ଲଢେଇ କରୁଛନ୍ତି । ନନ୍ଦିଗ୍ରାମରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ଲଢେଇ ହୋଇଛି । ନିର୍ବାଚନ ପରେ ଯାହାକୁ ନେଇ ବେଶ ଆଶା ଓ ଆଶଙ୍କା ଦେଖାଦେଇଛି । ତେଣୁ ନୂତନ ଆସନରେ ପ୍ରାର୍ଥୀ ପତ୍ର ଦାଖଲ ନେଇ ଅବସ୍ଥା ଉପୁଜିଥିବା ଚର୍ଚ୍ଚା ହେଉଛି । ଏପ୍ରିଲ 1 ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଭୋଟଦାନ ହୋଇଛି । ନନ୍ଦିଗ୍ରାମରେ 2,50 000ରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିସାରିଛନ୍ତି ।
ସୂଚନାଥାଉକି ପଶ୍ଚିମବଙ୍ଗରେ 294 ଟି ଆସନରେ ଆଠଟି ପର୍ଯ୍ୟାୟରେ ହେଉଛି ନିର୍ବାଚନ । ପ୍ରଥମ ଦୁଇଟି ପର୍ଯ୍ୟାୟରେ 60 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ସବୁଠୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ ଗତ ଏପ୍ରିଲ 1 ତାରିଖରେ ମତଦାନ ହୋଇଛି । ଆସନ୍ତା ମେ 2 ରେ ଫଳାଫଳ ଆସିବା ବେଳେ ଏପ୍ରିଲ 6 ରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ