କୋଲକାତା: ରାସନ କାର୍ଡରେ ସାଙ୍ଗିଆ ବଦଳାଇ ଦେଲେ ସରକାରୀ କର୍ମଚାରୀ । ଜବାବରେ ଅଭିନବ ପ୍ରତିବାଦ କରିଲେ ବ୍ୟକ୍ତି । ସରକାରୀ ଅଫିସର ଗାଡିରରେ ଯାଉଥିବା କୁକୁର ଭଳି ଭୋକି ଭୋକି ଦାବି ଜଣାଇଛନ୍ତି ବ୍ୟକ୍ତି । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଶନିବାର ଦିନ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରତିବାଦ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀକାନ୍ତ ଦତ୍ତା ।
କେଶିକୋଲ ଗାଁର ବାସିନ୍ଦା ଶ୍ରୀକାନ୍ତ ଦତ୍ତା ନାମକ ବ୍ୟକ୍ତିଙ୍କର ରାସନ କାର୍ଡରେ ନାମ ଭୁଲ ହୋଇଥିବାରୁ ସଂଶୋଧନ ପାଇଁ ଆବେଦନ କରିଥିଲେ । କିନ୍ତୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ସଂଶୋଧନ ହୋଇନପାରିବା କାରଣରୁ ଏଭଳି ପ୍ରତିବାଦ କରିଥିବା ଜଣାପଡିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏନେଇ ଶ୍ରୀକାନ୍ତ ଦତ୍ତା କହିଛନ୍ତି," ଦସ୍ତାବିଜରେ ମୋର ନାମ ଶ୍ରୀକାନ୍ତ ଦତ୍ତା ବଦଳରେ ଶ୍ରୀକାନ୍ତ କୁତ୍ତା ଲେଖାଯାଇଥିଲା । ମୁଁ ଏହା ଦେଖି ମାନସିକ ସ୍ତରରେ ବିବ୍ରତ ହୋଇଥିଲି । ଏହାପରେ ମୁଁ ମାମଲାକୁ ନିଜେ ଠିକ କରିବା ପାଇଁ ଭାବିଥିଲି । ଯୁଗ୍ମ ବ୍ଲକ ଡେଭଲପମେଣ୍ଟ ଅଫିସରଙ୍କ ଗାଡି ଯେତେବେଳେ ଆମ ଅଞ୍ଚଳ ଦେଇ ଯାଉଥିବା ମୁଁ ଜାଣିବାକୁ ପାଇଲି ସେତେବେଳେ ତାଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଝରକା ପାଖେ କୁକୁର ଭଳି ଭୋକିଥିଲି ।"