କୋଲକାତା: ଉପନିର୍ବାଚନର ହଟ୍ ସିଟ ଭବାନୀପୁର ଉପରେ ଏବେ ସାରା ଦେଶର ନଜର । କମ୍ପୁଛି ଭବାନୀପୁର ମୈଦାନ । ଉପନିର୍ବାଚନରେ ବି ସରଗରମ୍ ପଶ୍ଚିମବଙ୍ଗ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ, କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଆଜି(ଗୁରୁବାର) ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ପଶ୍ଚିମବଙ୍ଗରେ ମତଦାନ ପ୍ରକ୍ରିୟା । ଶାନ୍ତି ଶୃଙ୍ଖଳାର ସହ ମତ ଦେଉଛନ୍ତି ମତଦାତା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭବାନୀପୁର ସମେତ ଜିଲ୍ଲାର ସମଶେରଗଞ୍ଜ, ଜଙ୍ଗୀପୁର ବିଧାନସଭା ଆସନରେ ମଧ୍ୟ ମତଦାନ ଚାଲିଛି । ତଥାପି ଭବାନୀପୁର ଆସନ ଉପରେ ରହିଛି ସାରା ଦେଶର ନଜର । କାରଣ ଏହି ଲଢେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ସମ୍ମାନର ଲଢେଇ । ଯଦି ଦିଦିଙ୍କ ହାତରୁ ନନ୍ଦିଗ୍ରାମ ପରି ଭବାନୀପୁର ଖସିଯାଏ ତେବେ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । ତେଣୁ ଏହି ଉପନିର୍ବାଚନ ମମତାଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି ।
ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ଯାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି ସେ । ଦକ୍ଷିଣ କୋଲକତାର ଭବାନୀପୁର ବିଧାନସଭା କ୍ଷେତ୍ରରେ ୩ ଲକ୍ଷରୁ ଅଧିକ ମତଦାତା ଆଜି ମତଦାନ କରୁଛନ୍ତି । ଏହି ସିଟ୍ର ସମୁଦାୟ ୨୬୯ ବୁଥ୍କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ ।