ବେଙ୍ଗାଲୁରୁ: ଚୀନରେ ଏବେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7କୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି କର୍ଣ୍ଣାଟକ ସରକାର ( Wearing masks made compulsory in Karnataka) । ଦେଶରେ ମଧ୍ୟ କିଛି ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ କୋରୋନା ନିୟମ ଉଲ୍ଳଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି । ଆଜିଠୁ ଏହି ନିୟମ ଲାଗୁ କରାଯାଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ସୂଚନା ଦେଇଛନ୍ତି ।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "କୋରୋନାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ । ମାତ୍ର ଆମେ ଏବେଠୁ ସତର୍କତା ଅବଲମ୍ବନ କରିବା ଉଚିତ । ଆଗକୁ ନୂଆ ବର୍ଷ ଆସୁଥିବାରୁ ରେଷ୍ଟୁରାଣ୍ଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଭିଡ଼ ନେଇ ଆଶଙ୍କା କରାଯାଇଛି । ଏଥିଲାଗି ରେସ୍ତୋରାଁ, ଜନଗହଳିପୂର୍ଣ୍ଣ ସ୍ଥାନ, ସ୍କୁଲ, ଥିଏଟର, କଲେଜ ଆଦି ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।" ଏନେଇ ମନ୍ତ୍ରୀ ଆର. ଅଶୋକ କହିଛନ୍ତି ଯେ ବେଲଗାଭି ସ୍ଥିତ ସୁବର୍ଣ୍ଣ ବିଧାନ ସୌଧଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି ।