ନୂଆଦିଲ୍ଲୀ:ଅବକାରୀ ଦୁର୍ନୀତିରେ CBI କାର୍ଯ୍ୟାନୁଷ୍ଠାନ ପରେ BJP ଓ ଆମ ଆଦମୀ ପାର୍ଟି (AAP) ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଛି । CBI ସ୍କାନରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଜେପି ବିରୁଦ୍ଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ସିସୋଦିଆ ଅଭିଯୋଗ କହିଛନ୍ତି, ''ଯଦି ଦଳ ଭିତରେ ଫାଟ ସୃଷ୍ଟି କରି ଆପ୍କୁ ଭାଙ୍ଗି ଦିଆଯିବ ତେବେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ଏବଂ ତାଙ୍କ ବିରୁଦ୍ଧରେ ଥିବା ସବୁ ମାମଲା ରଫାଦଫା କରିଦେବ ବୋଲି ଅଫର୍ ଦେଇଛି ।'' ସିସୋଦିଆ ବିଜେପି ବିରୁଦ୍ଧରେ ଏହି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । ବିଜେପି ଏହି ଅଫର୍ ଦେବାର ଅଡିଓ ରେକର୍ଡିଂ ସିସୋଦିଆଙ୍କ ପାଖରେ ଅଛି । ସମୟ ଆସିଲେ ଏହାକୁ ଜାରି କରାଯିବ ।
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଆପ୍ର ଜଣେ ନେତା PTI ଆଗରେ କହିଛନ୍ତି ଯେ, ବିଜେପି ଅଫର ଦେବାର ଅଡିଓ ରେକର୍ଡିଂ ଆମ ପାଖରେ ଅଛି । ବର୍ତ୍ତମାନ ସମୟରେ ଆମେ ଏହି ରେକର୍ଡିଂ ଜାରି କରିବୁନି । ଠିକ୍ ସମୟ ଆସିଲେ ଏହାକୁ ସାର୍ବଜନୀନ କରି ଭାରତୀୟ ଜନତା ପାର୍ଟିର ପର୍ଦ୍ଦାଫାସ କରିବୁ ।
ଏହାମଧ୍ୟ ପଢନ୍ତୁ: ଦିଲ୍ଲୀରେ ଫେଲ ମାରିଛି Operation lotus, ସିସୋଦିଆଙ୍କୁ ଭରତରତ୍ନ ମିଳିବା ଉଚିତ କହିଲେ କେଜ୍ରିଓ୍ୱାଲ
ପ୍ରକାଶଥାଉ କି, ସୋମବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଦାବି କରିଥିଲେ ଯେ, ''ଭାରତୀୟ ଜନତା ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରଲୋଭନ ଦେଖାଇଛି । ଯଦି ସେ ଆପ୍ ଭିତରେ ଫାଟ ସୃଷ୍ଟି କରି ଦଳକୁ ଭାଙ୍ଗି ଦିଅନ୍ତି ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ମାମଲା ସିବିଆଇ ଓ ଇଡି ବନ୍ଦ କରିଦେବେ ।'' ସିସୋଦିଆ ଏହାମଧ୍ୟ କହିଛନ୍ତି ଯେ, ସେ ଜଣେ ରାଜପୁତ ଓ ମହାରାଣା ପ୍ରତାପଙ୍କ ବଂଶଜ । ମୁଣ୍ଡ କଟିଯିବ ପଛେ ଦୁର୍ନୀତିଗ୍ରସ୍ତ ଏବଂ ଷଡଯନ୍ତ୍ରକାରୀଙ୍କ ନିକଟରେ ସେ କେବେ ମୁଣ୍ଡ ନୁଆଁଇବେ ନାହିଁ । ଅରବିନ୍ଦ କେଜ୍ରିୱାଲ ମୋର ରାଜନୈତିକ ଗୁରୁ ଅଟନ୍ତି । ତାଙ୍କ ସହ କେବେ ପ୍ରତାରଣା କରିବି ନାହିଁ । ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନି । ଯେପରି ଦେଶର ପ୍ରତିଟି ଶିଶୁକୁ ଉତ୍ତମ ଶିକ୍ଷା ମିଳିବ ଏବଂ ଦେଶ ଏକ ନମ୍ବର ହେବ, ତାହା ହିଁ ମୋର ସ୍ବପ୍ନ ।
ଅନ୍ୟପଟେ ଗୁରୁରାଟ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ''ଅନ୍ୟ ରାଜ୍ୟଗୁଡିକ ପରି ଦିଲ୍ଲୀରେ ମଧ୍ୟ BJP ଅପରେସନ ଲୋଟସ (Operation lotus) ମାଧ୍ୟମରେ ସରକାର ଭାଙ୍ଗିବାକୁ ଉଦ୍ୟମ କରିଛି । କିନ୍ତୁ BJPକୁ ଏଥିରେ ସଫଳତା ମିଳିନାହିଁ । ସିସୋଦିଆଙ୍କୁ ଭାରତ ରତ୍ନ ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଭାରତରତ୍ନ ପାଇବା ପାଇଁ ସିସୋଦିଆ ସମ୍ପୂର୍ଣ୍ଣ ଯୋଗ୍ୟ । ସିସୋଦିଆ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମଧ୍ୟ । ତାଙ୍କ ନେତୃତ୍ବରେ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିଛି ।'' ହେଲେ ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଆପ୍ ନେତାଙ୍କୁ ହଇରାଣ କରୁଛି ବୋଲି କେଜ୍ରିୱାଲ କହିଛନ୍ତି ।