ନୂଆଦିଲ୍ଲୀ:ଜନ୍ମ ପୂର୍ବରୁ ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ରହିଛି । ତେଣୁ ଗର୍ଭପାତ ଅନୁମତି ଦେବା ବେଳେ ସେକଥା ମଧ୍ୟ ବିଚାରକୁ ନେବାକୁ ହେବ । ଆମେ ଗର୍ଭସ୍ଥ ଶିଶୁକୁ ମଧ୍ୟ ହତ୍ୟା କରିବାକୁ ଅନୁମତି ଦେଇପାରିବା ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । 26 ସପ୍ତାହରେ ଗର୍ଭପାତ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆବେଦନକାରୀ ମହିଳାଙ୍କୁ ନିଜର ଗର୍ଭପାତ ସମ୍ପର୍କିତ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ କହିଛନ୍ତି । ଏହାସହ ଶିଶୁ ଯେପରି କୌଣସି ପ୍ରକାର ଶାରୀରିକ କିମ୍ବା ମାନସିକ ବିକୃତିର ସହ ଜନ୍ମଗ୍ରହଣ ନକରେ, ସେଥିପାଇଁ ଗର୍ଭ ଅବଧି ପୂରଣ କରିବା ଉପରେ ଆଉ ଥରେ ଚିନ୍ତା କରିବା ପାଇଁ କହିଛନ୍ତି ।
ଗତକାଲି ଏହି ମାମଲାରେ ଦୁଇ ମହିଳା ବିଚାରପତି ଶୁଣାଣି କରିଥିଲେ । ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନମତ କାରଣରୁ ଏହି ମାମଲାଟି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ, ଜେ.ବି ପର୍ଦ୍ଦିଓ୍ବାଲା ଓ ମନୋଜ ମିଶ୍ରାଙ୍କ 3 ଜଣିଆ ଖଣ୍ଡପୀଠରେ ହୋଇଛି । ଶୁଣାଣିରେ ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପ୍ରଧାନ ବିଚାରପତି କହିଥିଲେ, ସମ୍ବିଧାନ ଧାରା-21 ଅନୁସାରେ ଏପରି ସ୍ଥିତିରେ ମହିଳାଙ୍କ ସ୍ବତନ୍ତ୍ରତା ରହିଛି । ମାତ୍ର ଗର୍ଭପାତ ଅନୁମତି ଦେବା ସମୟରେ ଏକଥା ମଧ୍ୟ ସଂଜ୍ଞାନରେ ରହିବା ଜରୁରୀ ଯେ,ଗର୍ଭସ୍ଥ ଶିଶୁର ଅଧିକାର ଯେପରି କ୍ଷୂର୍ଣ୍ଣ ନହୁଏ ।
ପ୍ରଧାନ ବିଚାରପତି ଟିପ୍ପଣୀରେ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ‘‘ଆପଣ ଗର୍ଭପାତ ଅନୁମତି ପାଇଁ ମା’କୁ ପ୍ରତିନିଧିତ୍ବ କରୁଛନ୍ତି । କିନ୍ତୁ ଏହି ମାମଲାରେ ଗର୍ଭସ୍ଥ ଶିଶୁ ପକ୍ଷରୁ କି’ଏ ପ୍ରତିନିଧିତ୍ବ କରୁଛି । ଗର୍ଭସ୍ଥ ଶିଶୁ ଏକ ଜୀବିତ ଭ୍ରୁଣ ଓ ଏହାର ଜୀବନ ସମ୍ଭାବନା ମଧ୍ୟ ନିଶ୍ଚିତ । ଆପଣ ଏହି ଆବେଦନ ସହ ଶିଶୁର ଅଧିକାର ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରିପାରିବେ । କ’ଣ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ପାଇଁ ନ୍ୟାୟପାଳିକା ଅନୁମତି ଦେଉ, ଏହା ହିଁ ଏହି ମାମଲାର ଏକମାତ୍ର ବିକଳ୍ପ କି ? ’’
ପ୍ରଧାନ ବିଚାରପତି ଏହା ମଧ୍ୟ କହିଥିଲେ,‘‘ଯଦି ଗର୍ଭସ୍ଥ ଶିଶୁ ମାନସିକ ଓ ଶାରୀରିକ ବିକୃତି ସହ ଜନ୍ମଗ୍ରହଣ କରେ, ତେବେ ସେ ଏହା ଦ୍ବାରା ସାରା ଜୀବନ ଯନ୍ତ୍ରଣାର ଶିକାର ହେବ । ଆବଶ୍ୟକ ସ୍ଥଳେ କେହି ତାକୁ ପୋଷ୍ୟ ସନ୍ତାନ ଭାବେ ମଧ୍ୟ ଗ୍ରହଣ କରିବେ ନାହିଁ । ତେଣୁ ଗର୍ଭପାତ ପରିବର୍ତ୍ତେ ସୁରକ୍ଷିତ ପ୍ରସବ ପାଇଁ ଆବେଦନକାରୀ ଆଉ କିଛି ସପ୍ତାହ ଅପେକ୍ଷା କରିବା ଉଚିତ୍ । ଆବେଦନକାରୀଙ୍କ ଓକିଲ ନିଜ ମହକିଲଙ୍କ ସହ ଏ ଦିଗରେ ପରାମର୍ଶ କରନ୍ତୁ ।’’