ଡେରାଡୁନ: ବିବାହରେ ସାମିଲ ହେବାକୁ କାରରେ ଉତ୍ତରାଖଣ୍ଡରୁ ଉତ୍ତରପ୍ରଦେଶ ଯାଉଥିଲା ପୁରା ପରିବାର । ହସ ଖୁସିରେ ଅତିକ୍ରମ କରୁଥିଲେ ରାସ୍ତା । କିନ୍ତୁ ବାଟରେ ଛକି ବସିଥିଲା ମୃତ୍ୟୁ । ବିବାହରେ ପହଞ୍ଚିବା ପୂର୍ବରୁ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଗୋଟିଏ ପରିବାରର 6 ସଦସ୍ୟ । ୟୁପିର ଦେଓରିଆ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡିକୁ କାର ଧକ୍କା ଦେବା ପରେ 6 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି, ତାଙ୍କର ଦୁଇ ଝିଅ ଓ ତିନି ବର୍ଷର ପୁଅ ରହିଛନ୍ତି । ଏହି ଦୁର୍ଘଟଣା ପରେ ମୃତକଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନୈନିତାଲ ଜିଲ୍ଲାର ବିନ୍ଦୁଖତା ଭିଆଇପି ଗେଟ ଦୁର୍ଗାପାଲ କଲୋନିରୁ ସୋନୁ ସାହା ତାଙ୍କ ପରିବାର ସହ ଉତ୍ତରପ୍ରଦେଶର ଘାଲିବପୁରକୁ ଏକ ବିବାହରେ ସାମିଲ ହେବାକୁ କାର ଯୋଗେ ବାହାରିଥିଲେ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦେଓରିଆଠାରେ ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ସୋନୁଙ୍କ କାର୍ । ଫଳରେ ଘଟଣାସ୍ଥଳରେ 6ଜଣଙ୍କର ମୃତ୍ୟୁ ହୋଇଥିଲା । ରାତି 2ଟା 30 ମିନିଟ ସମୟରେ ଦୁର୍ଘଟଣା ଘଟିଥିଲା ।