ପାଣାଜୀ:ପ୍ରେମ ସପ୍ତାହରେ ମଙ୍ଗଳବାର ରହିଥିଲା ଭାଲେଣ୍ଟାଇନ ଡେ । ପାର୍କ, ସିନେମା ହଲ, ରେସ୍ତୋରାଁ, ମଲ୍ ସବୁଆଡେ ରହିଥିଲା ପ୍ରେମର ମାହୋଲ । ନିଜର ପାର୍ଟନରଙ୍କୁ ଖୁସି କରିବା ପାଇଁ କିଏ କେଉଁ ପନ୍ଥା ଆପଣାଇଥିଲେ । ଏହିଭଳି ଭାବରେ ଭାଲେଣ୍ଟାଇନ ଡେକୁ ଆହୁରି ରୋମାଣ୍ଟିକ କରିବା ପାଇଁ ଗୋଆ ଯାଇଥିଲେ ପ୍ରେମୀଯୁଗଳ । ପରିବାର ଲୋକଙ୍କ ବିନା ଅବଗତିରେ ଦୁହେଁ ଗୋଆ ବିଚ୍ରେ ଖୁସିରେ ସମୟ ଅତିବାହିତ କରୁଥିଲେ । ଏହି ସମୟରେ ହଠାତ ଘଟିଗଲା ଅଘଟଣ । ଖୁସି ମନାଇବା ପାଇଁ ଯାଇଥିବା ବେଳେ ପରିବାର ପାଇଁ ଆଣିଲେ ଦୁଃଖଦ ଖବର । ଗୋଆ ବିଚ୍ରେ ଗାଧୋଉଥିବା ବେଳେ ବୁଡିଯାଇ ପ୍ରାଣ ହରାଇଛନ୍ତି ପ୍ରେମୀ ଯୁଗଳ ।
ମଙ୍ଗଳବାର ସନ୍ଧ୍ୟାରେ ଗୋଆରେ ବୁଡିଯାଇ ଦୁଇ ପ୍ରେମପକ୍ଷୀଙ୍କ ମୃତ୍ୟୁ ହୋଇଛି । ଖୁସିରେ ସମୟ ବିତାଇବା ପାଇଁ ସ୍ବପ୍ନ ନେଇ ଗୋଆ ଯାଇଥିବା ବେଳେ ଦଇବ ସାଧିଲା ଦାଉ । ପ୍ରେମକୁ ନେଇ ସ୍ବପ୍ନ ଦେଖିବା ପାଇଁ ଯାଇଥିବା ବେଳେ ମୃତଦେହ ହୋଇ ଫେରିଲେ । ଦୁଇ ମୃତକ ହେଲେ ୨୬ ବର୍ଷୀୟା ସୁପ୍ରିଆ ଦୁବେ ଏବଂ ୨୭ ବର୍ଷୀୟା ବିଭୁ ଶର୍ମା । ଉଭୟଙ୍କ ବୁଡିଯିବା ଖବରପାଇ ପୋଲିସ ଏବଂ ଲାଇଭଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଉଦ୍ଧାର କରିଥିଲେ । ତେବେ ପୋଲିସ ଦୁହିଁଙ୍କୁ କୋନକୋନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।